ନୂଆଦିଲ୍ଲୀ ୦୭/୦୧: ଆଜି ବାଜିବ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ। କେବେ ପଡ଼ିବ ଭୋଟ୍, ଆଉ କେବେ ବାହାରିବ ରେଜଲ୍ଟ ସେ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ଅପରାହ୍ଣ ୨ଟାରେ ନିର୍ବାଚନ ଆୟୋଗ ପ୍ରେସମିଟ୍ କରିବେ।
ଏହାପୂର୍ବରୁ ସୋମବାର ନିର୍ବାଚନ ଆୟୋଗ ଦିଲ୍ଲୀର ଅନ୍ତିମ ଭୋଟର ତାଲିକା ପ୍ରକାଶ କରିଥିଲେ। ଏଥର ଦିଲ୍ଲୀରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଦିଲ୍ଲୀ ନିର୍ବାଚନରେ ମୋଟ ୧.୫୫ କୋଟିରୁ ଅଧିକ ଭୋଟର ରହିବେ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି।
ଦିଲ୍ଲୀର ୭୦ ବିଧାନସଭା ଆସନା ପାଇଁ ଆସନ୍ତା ଫେବ୍ରୁଆରୀ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏଥର ମଧ୍ୟ ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦିଲ୍ଲୀରେ ଏକ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିବ। ସମସ୍ତ ୭୦ଟି ଯାକ ଆସନ ପାଇଁ ଆପ୍ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ କିଛି କିଛି ଆସନ ପାଇଁ ପ୍ରାର୍ଥ ଘୋଷଣା କରିସାରିଛନ୍ତି।
ଦିଲ୍ଲୀରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ସିଟ୍ ମଧ୍ୟରୁ ୬୦ରୁ ଅଧିକ ଜିତି ସରକାର ଗଠନ କରିଛି। ୨୦୧୫ ନିର୍ବାଚନରେ ଦିଲ୍ଲୀ ଇତିହାସରେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି ୬୭ଟି ସିଟ୍ ଜିତି ଦିଲ୍ଲୀ ଦଖଲ କରିଥିଲା।