ଇସ୍ରୋର ନୂଆ ଅଧ୍ୟକ୍ଷ ଭି. ନାରାୟଣନ, ପାଖରେ ରହିଛି ୪ ଦଶନ୍ଧିର ଅନୁଭବ

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ ୦୭/୦୧: ଡକ୍ଟର ଭି. ନାରାୟଣନ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ)ର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ଅଧ୍ୟକ୍ଷ ଥିବା ଏସ୍‌. ସୋମନାଥଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୧୪ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ । ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ନାରାୟଣନ ବର୍ତ୍ତମାନ ଏଲ୍‌ପିଏସ୍‌ସି (ଲିକ୍ୟୁଡି ପ୍ରପୁଲସନ ସିଷ୍ଟମ୍‌ସ ସେଣ୍ଟର)ର ଅଧ୍ୟକ୍ଷ ଅଛନ୍ତି । 

ପ୍ରାୟ ୪୦ ବର୍ଷ ଧରି ସେ  ଭାରତୀୟ ମହାକାଶ ଗବେଷଣା ସହ ଜଡିତ । ରକେଟ ଓ ମହାକାଶଯାନ ପ୍ରପୁଲସନ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ଜିଏସ୍‌ଏଲ୍‌ଭି ଏମ୍‌କେ-୩ ଯାନର ସି-୨୫ କ୍ରାୟୋଜେନିକ ପ୍ରୋକ୍ଟେର ସେ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ । ତାଙ୍କ ନେତୃତ୍ୱରେ ଇସ୍ରୋର ଏକ ଟିମ୍‌ ସି-୨୫ ଷ୍ଟେଜ୍‌ର ସଫଳ ବିକଶିତ କରିଥିଲା । 

ଏଥିସହ ଆଦିତ୍ୟ ମହାକାଶଯାନ, ଜିଏସ୍‌ଏଲ୍‌ଭି ଏମ୍‌କେ-୩ ମିଶନ, ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ର ପ୍ରପୁଲସନ ସିଷ୍ଟମ ପ୍ରତି ନାରାୟଣନଙ୍କର ଯଥେଷ୍ଟ ଅବଦାନ ରହିଛି । ବର୍ତ୍ତମାନ ଭି. ନାରାୟଣ ଭଲିଆମାଲାରେ ଅବସ୍ଥିତ ଲିକ୍ୱିଡ୍ ପ୍ରପଲ୍ୟୁସନ୍ ସିଷ୍ଟମ୍ ସେଣ୍ଟର (LPSC) ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। 

୧୯୮୪ରେ ସେ ଇସ୍ରୋରେ ସାମିଲ ହୋଇଥିଲେ। କହିରଖୁ ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥ ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏବେ ସେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଆସିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ISRO ସଫଳତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.