ଆଉ ଥରେ ଅଜିତ ପାୱାରଙ୍କ ସହ ଯିବେ ନାହିଁ ଶରଦ ପାୱାର, ପ୍ରଥମ ଦିନ ବୈଠକରେ ସ୍ପଷ୍ଟ କଲେ ନେତା

Published By : Prameya-News7 Bureau | January 08, 2025 IST

ମୁମ୍ବାଇ ୮।୧:  ମହାରାଷ୍ଟ୍ର ରାଜନୀତିରେ ଗତ ୮ ଦିନ ହେଲା ଏହି ଚର୍ଚ୍ଚା ଲାଗି ରହିଛି ଯେ ଅଜିତ ପାୱାର ଓ ଶରଦ ପାୱାର ପୁଣି ଏକାଠି ହେବେ। ଶରଦ ପାୱାରଙ୍କ ଏନସିପିର ଦୁଇ ଦିବସୀୟ ବୈଠକ ଏଠାରେ ବୁଧବାର ଆରମ୍ଭ ହୋଇଛି। ପ୍ରଥମ ଦିନ ବୈଠକରେ ଶରଦ ପାୱାରଙ୍କ ନେତାମାନେ ଆମ ପାର୍ଟି ଅଜିତ ପାୱାରଙ୍କ ସହ ମିଶିବ ନାହିଁ ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ ନିତିଶ କୁମାର ଓ ଚନ୍ଦ୍ରବାବୁ ନାୟଡୁଙ୍କୁ ଏନଡିଏ ସହିତ କାୟମ ରଖିବା ପାଇଁ ବିଜେପି ପକ୍ଷରୁ ଏପରି ଗୁଜବ ବ୍ୟାପିଥିଲା।  

ନେତାମାନେ କହିଛନ୍ତି ଯେ ଶିବସେନା (ୟୁବିଟି) ଓ ଏନସିପି (ଏସପି)ରେ ବିଭାଜନର ଖବର କେବଳ ଏହା ସୁନିଶ୍ଚିତ କରିବା ପାଇଁ ଚଳାଯାଉଥିଲା ଯେପରି ଏନଡିଏ ସହଯୋଗୀ ନିୟନ୍ତ୍ରଣରେ ରହନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଜିତ ପାୱାରଙ୍କ ପାଖରେ ଜଣେ ସାଂସଦ ଅଛନ୍ତି ଓ ଶରଦ ପାୱାରଙ୍କ ୯ ସାଂସଦଙ୍କୁ ମିସାଇଦେଲେ ଏନସିପି ସାଂସଦଙ୍କ ସଂଖ୍ୟା ୧୦ ହୋଇଯିବ। ଏହି ପରିକଳ୍ପନାକୁ ସେତେବେଳେ ବଳ ମିଳିଥିଲା ଯେତେବେଳେ ଅଜିତଙ୍କ ମା ଆଶା ତାୟୀ ଶରଦ ଓ ଅଜିତଙ୍କୁ ଏକସାଙ୍ଗରେ ଆସିବା ଦରକାର ବୋଲି କହିଥିଲେ। ତେବେ ବୁଧବାର ଏନସିପି ଶରଦ ଗୋଷ୍ଠୀର ବୈଠକରୁ ବାହାରକୁ ଆସିଥିବା ନେତା ଏପରି କଳ୍ପନାଜଳ୍ପନାରେ ବିରାମ ଲଗାଇ ଦେଇଛନ୍ତି।  କହିଛନ୍ତି  ସବୁ ମିଛ କଥା।   

ଉଲ୍ଲେଖଯୋଗ୍ୟ ଯେ ବୁଧବାର ମୁମ୍ବାଇର ୱାଇ.ବି.ଚୌହାନ ସଭାଗୃହରେ ଶରଦ ପାୱାରଙ୍କ ଏନସିପିର ଦୁଇ ଦିବସୀୟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଶରଦ ପାୱାରଙ୍କ ସହିତ ତାଙ୍କ ପାର୍ଟିର ନେତା, ସାଂସଦ ଓ ବିଧାୟକ ଯୋଗ ଦେଇଛନ୍ତି। ଏହି ବୈଠକରେ ଆଗାମୀ ନଗରପାଳିବା ନିର୍ବାଚନ, ମହାନଗରପାଳିକା ନିର୍ବାଚନରେ ମହାବିକାଶ ଅଘାଡ଼ି ସହିତ ତାଳମେଳ ନେଇ ଚର୍ଚ୍ଚା ହେଉଛି। ଏଥିରେ ଉଦ୍ଧବଙ୍କ ଶିବସେନା ଓ କଂଗ୍ରେସ ସହିତ ମେଣ୍ଟ କିପରି ହେବ?  କେଉଁ ନଗର ପାଳିକାରେ କାହାକୁ କେତେ ଆସନ ମିଳିବ? ଏହା ଉପରେ ମଧ୍ୟ ଚର୍ଚ୍ଚା ହେଉଛି। 

ତେବେ ବୈଠକରୁ ବାହାରକୁ ବାହାରିଥିବା ନେତାମାନଙ୍କ କଥା ସ୍ପଷ୍ଟ ଥିଲା ଯେ ଏବେ ଅଜିତ ପାୱାରଙ୍କ ସହିତ ଯିବାର କୌଣସି ପ୍ରଶ୍ନ ହିଁ ଉଠୁନି। ଶରଦ ପାୱାରଙ୍କ ନାତି ତଥା ପାର୍ଟିର ବିଧାୟକ ରୋହିତ ପାୱାର ଏବଂ ପାର୍ଟିର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜିତେନ୍ଦ୍ର ଅହୱାଡ କହିଛନ୍ତି ତାଙ୍କ ପାର୍ଟି ଅଜିତ ପାୱାରଙ୍କ ପାର୍ଟି ସହିତ ବିଲୟ ହେଉ ନାହିଁ କି ଏବେ ତାଙ୍କ ପାର୍ଟି ସହ ମିଶିବାର ମଧ୍ୟ କୌଣସି ଚର୍ଚ୍ଚା ହେଉ ନାହିଁ। ଯାହାବି ପ୍ରଚାରିତ ହେଉଛି ସବୁ ଗୁଜବ ଓ ନିଜେ ଶରଦ ପାୱାର ଏ ସବୁ କଥାକୁ ଭୁଲ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.