୨୫ ବର୍ଷ ଜେଲରେ ରହିବା ପରେ ଦୋଷୀ ଜଣାପଡ଼ିଲା ନାବାଳକ, ମୁକ୍ତ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଉତ୍ତରାଖଣ୍ଡର ଡେହରାଡ଼ୁନରେ ୧୯୯୪ ମସିହାରେ ଜଣେ ସେବନିବୃତ୍ତ କର୍ଣ୍ଣେଲ, ତାଙ୍କ ଝିଅ ଏବଂ ଭଉଣୀଙ୍କୁ ହତ୍ୟା ମାମଲାରେ ଦୋଷୀକୁ ୨୫ ବର୍ଷ ପରେ ଜେଲରୁ ମୁକ୍ତ କରାଯାଇଛି । ଏହାସହ ଘଟଣା ସମୟରେ ସେ ୧୪ ବର୍ଷୀୟ ନାବାଳକ ଥିଲା ବୋଲି ଜଣାପଡ଼ିଛି । ଜଷ୍ଟିସ୍ ଏମ୍‌ଏମ୍‌ ସୁନ୍ଦରେଶ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ବୁଧବାର କହିଛନ୍ତି, ସବୁ ସ୍ତରରେ ଅଦାଲତ ଦସ୍ତାବିଜର ଅଣଦେଖା କରି ଅନ୍ୟାୟ କରିଛନ୍ତି ।

ସର୍ବୋଚ୍ଚ ଅଦାଲତ ଦୋଷସିଦ୍ଧିକୁ କାଏମ ରଖିବା ସହ କିଶୋର ନ୍ୟାୟ ଅଧିନିୟମ ୨୦୧୫ ଅଧିନରେ ଦଣ୍ଡକୁ ରଦ୍ଦ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, 'ନ୍ୟାୟ ସତ୍ୟର ଅଭିବ୍ୟକ୍ତି ବ୍ୟତୀତ ଅନ୍ୟ କିଛି ନୁହେଁ । ଏହା ସତ୍ୟ ଅଟେ, ଯାହା ସବୁ କିଛିରୁ ଉପରେ । ନ୍ୟାୟାଳୟର ପ୍ରାଥମିକ କର୍ତ୍ତବ୍ୟ ତଥ୍ୟ ତଳେ ଥିବା ସତ୍ୟକୁ ସାମନାକୁ ଆଣିବା ପାଇଁ ପ୍ରୟାସ କରିବା ଅଟେ । ଏହି ପ୍ରକାରେ, ନ୍ୟାୟାଳୟ ସତ୍ୟର ସନ୍ଧାନ କରୁଥିବା ଇଞ୍ଜିନ ଅଟେ ।'

ସୁପ୍ରିମକୋର୍ଟ କହିଛନ୍ତି ଯେ ଆବେଦନକାରୀ ଅଶିକ୍ଷିତ ହେବା ସତ୍ତ୍ୱେ ଟ୍ରାଏଲ୍ କୋର୍ଟରୁ ଆରମ୍ଭ କରି ଏହି ନ୍ୟାୟାଳୟ ସାମନାରେ କ୍ୟୁରେଟିଭ (ସୁଧାରାତ୍ମକ) ଯାଚିକା ଉପରେ ରାୟ ଯାଏଁ କୌଣସି ନାଁ କୌଣସି ମାଧ୍ୟମରେ ଏହି କଥା ଉଠାଇଥିଲେ । ଏହି ମାମଲାରେ ଆବେଦନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା ଏବଂ ପରେ କ୍ୟୁରେଟିଭ ଯାଚିକାକୁ ବି ସୁପ୍ରିମକୋର୍ଟ ଖାରଜ କରିଥିଲେ । ତେବେ ୨୦୧୨ରେ ଜାରି ରାଷ୍ଟ୍ରପତିଙ୍କ ଆଦେଶ ପରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାବାସରେ ପରିବର୍ତ୍ତନ କରାଯାଇଥିଲା । ୬୦ ବର୍ଷ ଯାଏ ତାଙ୍କୁ ମୁକ୍ତ କରାଯିବନି ବୋଲି ସର୍ତ୍ତ ରଖାଯାଇଥିଲା ।

ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ଓକିଲ ଏସ୍ ମୁରଲୀଧର ଯୁକ୍ତି ଦେଇଥିଲେ ଯେ ସବୁ ପର୍ଯ୍ୟାୟରେ ଉଠାଯିବା ସତ୍ତ୍ୱେ ନାବାଳକ ଥିବା ଯୁକ୍ତିକୁ କେହି ଶୁଣି ନଥିଲେ । ଯାହା ଆବେଦନକାରୀ ପ୍ରତି ଘୋର ଅନ୍ୟାୟ ଅଟେ । ସୁପ୍ରିମକୋର୍ଟ କହିଛନ୍ତି, 'ଆମେ କେବଳ ଏହା କହିପାରିବୁ ଯେ ଏହା ଏପରି ମାମଲା ଯେଉଁଠି ଆବେଦନକାରୀ କୋର୍ଟଙ୍କ ଦ୍ୱାରା କରାଯାଇଥିବା ଭୁଲ କାରଣରୁ ପୀଡ଼ିତ ଅଟେ । ଜେଲରେ ବ୍ୟକ୍ତିର ଆଚରଣ ସାଧାରଣ ଥିଲା ଏବଂ କୌଣସି ଖରାପ ରିପୋର୍ଟ ନଥିବା ଆମକୁ ସୂଚୀତ କରାଯାଇଛି । ସେ ଯେଉଁ ସମୟ ହରାଇଛି, ତାହା ଫେରି ଆସିବ ନାହିଁ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.