ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଶୁଣାଣି ଗୁରୁବାର ଶେଷ ହୋଇଛି । କୋଲକାତାର ସିୟାଲଦହ କୋର୍ଟ ଏହି ମାମଲାରେ ଶୁଣାଣି ଚାଲିଥିଲା । ଏବେ କୋର୍ଟ ଜାନୁଆରୀ ୧୮ରେ ଏହି ମାମଲାରେ ରାୟ ଶୁଣାଣିବେ । ସିବିଆଇ ଏହି ମାମଲାରେ ଗିରଫ ଏକମାତ୍ର ଅଭିଯୁକ୍ତ ସଂଜୟ ରାୟ ପାଇଁ ମୃତ୍ୟୁ ଦଣ୍ଡ ଦାବି କରିଛି ।
ଏହି ଜଘନ୍ୟ କାଣ୍ଡରେ ସିବିଆଇର ଭୂମିକାକୁ ନେଇ କୋଲକାତା ଡାକ୍ତର ଲଗାତାର ପ୍ରଦର୍ଶନ କରୁଛନ୍ତି । ତଦନ୍ତରେ ଆନାବଶ୍ୟକୀୟ ବିଳମ୍ୱ ଏବଂ ଅପରାଧୀଙ୍କୁ ବଞ୍ଚାଇବା ପାଇଁ ପୋଲିସ ମିଶି ସିବିଆଇ କାମ କରୁଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି । ଏହାସହ ମାମଲାର ତଦନ୍ତ ଶୀଘ୍ର ସାରିବା ପାଇଁ ଦାବି କରିଥିଲେ । ଏବେ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।
ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ୍ ଅନିର୍ବାନ ଦାସଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ଷଡ଼ଯନ୍ତ୍ରକାରୀ ଭାବେ କୋଲକାତାର ପୂର୍ବତନ ପୋଲିସ କମିଶନର ଭିନୀତ ଗୋୟଲ ଏବଂ ସ୍ପେଶାଲ ଡେପୁଟୀ କମିଶନରଙ୍କ ନାଁ ନେଇଥିଲା । ଏହି ମାମଲାରେ ତାଙ୍କୁ ଫସାଯାଇଛି ଏବଂ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ସଂଜୟ ରାୟ କୋର୍ଟରେ ବୟାନ ଦେଇଥିଲା ।
ସିବିଆଇ ଚାର୍ଜସିଟ୍ ଅନୁସାରେ ସିଭିକ୍ ଭଲିଣ୍ଟିୟର ସଞ୍ଜୟ ରାୟ ହିଁ ଏହି ଜଘନ୍ୟ କାଣ୍ଡ ଘଟାଇଛି । ପୀଡ଼ିତାରୁ ନିଆଯାଇଥିବା ସିମନର ସମ୍ପାଲ ସହ ସଞ୍ଜୟ ସହ ମେଳ ଖାଉଛି । ସିବିଆଇ ଦାବି କରିଛି ଯେ ସିଏଫ୍ଏସ୍ଏଲ୍ ରିପୋର୍ଟରୁ ସିମନ ସଞ୍ଜୟର ବୋଲି ସ୍ପଷ୍ଟ ହୋଇଛି । ଅନେକ ଭୌତିକ ପ୍ରମାଣ, ପରିସ୍ଥିତିଜନିତ ପ୍ରମାଣ, ଫରେନ୍ସିକ ରିପୋର୍ଟ ଆଧାରରେ ସଞ୍ଜୟ ହିଁ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ପ୍ରମାଣିତ ହେଉଛି ।
ପ୍ରାୟ ୧୦୦ ସାକ୍ଷୀ, ୧୨ ପଲିଗ୍ରାଫ୍ ଟେଷ୍ଟ, ସିସିଟିଭି କ୍ୟାମେରା, ଫରେନ୍ସିକ ରିପୋର୍ଟ, ମୋବାଇଲ୍ କଲ୍ ଡିଟେଲ୍ ଏବଂ ଲୋକେସନ, ଇୟରଫୋନ୍ ଏବଂ ଅଭିଯୁକ୍ତର ବୟାନ ପରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଟ୍ରେନି ଜୁନିୟର ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ନୁହେଁ ବରଂ ଦୁଷ୍କର୍ମ ହୋଇଥିଲା ବୋଲି ଏଥିରେ ସିବିଆଇ ସ୍ପଷ୍ଟ କରିଥିଲା ।