ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ଉପରେ ପୂର୍ବରୁ ଦେଇଥିବା ରାୟର ପୁନଃ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ। ପୂର୍ବ ରାୟ ଉପରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ହେଲେ ଗୁରୁବାର ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
୨୦୨୩ରେ ସମଲିଙ୍ଗୀ ବିବାହ ନେଇ ଏକ ବଡ଼ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ସମଲିଙ୍ଗୀ ବିବାହକୁ ଆଇନଗତ ମଞ୍ଜୁରୀ ଦେବାର କୌଣସି ସାମ୍ବିଧାନିକ ଆଧାର ନାହିଁ ବୋଲି କୋର୍ଟ କହିଥିଲେ। ଏହାପରେ ଏଲଜିବିଟିକ୍ୟୁପ୍ଲସ୍ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନିରାଶା ଦେଖା ଦେଇଥିଲା।
ତେବେ ଏହାର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା। ଗୁରୁବାର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ବିଚାରପତି ବି.ଆର. ଗଭଇ, ସୂର୍ଯ୍ୟକାନ୍ତ, ବି.ଭି. ନାଗାରତ୍ନା, ପି.ଏସ. ନରସିଂହ ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଚାମ୍ବରରେ ଆବେଦନଗୁଡ଼ିକର ସମୀକ୍ଷା କରିଥିଲେ। ତେବେ ପୂର୍ବ ଆବେଦନ ମୁତାବକ ଖୋଲା ଅଦାଲତରେ କୌଣସି ଶୁଣାଣି ହୋଇନଥିଲା।
ଶୁଣାଣି କରି କୋର୍ଟ କହିଛନ୍ତି ଯେ ରେକର୍ଡରେ କୌଣସି ପ୍ରକାର ତ୍ରୁଟି ନାହିଁ। ପୂର୍ବ ରାୟ ଆଇନ ଅନୁସାରେ ଦିଆଯାଇଛି। ତେଣୁ ଏଥିରେ ପୁଣିଥରେ କୌଣସି ଆବଶ୍ୟକତା ନାହିଁ। ସୁପ୍ରିମକୋର୍ଟଙ୍କ ନୂଆ ରାୟ ପରେ ପୁନର୍ବିଚାର ପାଇଁ ହୋଇଥିବା ସମସ୍ତ ଆବେଦନ ଖାରଜ ହୋଇଯାଇଛି।
ଯେହେତୁ ଏହି ମାମଲା ଜନସ୍ୱାର୍ଥ ସହିତ ଜଡ଼ିତ ରହିଛି, ତେଣୁ ଏହାର ଶୁଣାଣି ଖୋଲା ଅଦାଲତରେ କରିବାକୁ ଗତବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟରେ ଏକ ଆବଦେନ ହୋଇଥିଲା। ଏଥିପାଇଁ ଜଷ୍ଟିସ୍ ଏସ୍ କେ କାଉଲ୍, ଏସ୍ ରବିନ୍ଦ୍ର ଭଟ୍ଟ, ପୂର୍ବତନ ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼ ଏବଂ ଅବସର ପରେ ଜଷ୍ଟିସ୍ କୋହଲିଙ୍କୁ ନେଇ ଏକ ଖଣ୍ଡପୀଠ ପୁନର୍ଗଠନ କରିବାକୁ ପଡ଼ିଥିଲା। ତେବେ ପରେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ସଞ୍ଜିବ ଖାନ୍ନା ଗତ ବର୍ଷ ଏହି ମାମଲାରୁ ଓହରି ଯାଇଥିଲେ।
ଆବେଦନକାରୀ ତାଙ୍କ ପୁନର୍ବିଚାର ଆବେଦନରେ ଯୁକ୍ତି ଦେଇଥିଲେ ଯେ ସୁପ୍ରିମକୋର୍ଟଙ୍କର ଏଭଳି ରାୟ ସମଲିଙ୍ଗୀ ଦମ୍ପତିଙ୍କୁ ଲୁଚି ଛପି ଏକାଠୀ ରହିବା ଓ ବେଆଇନ କରିବାକୁ ବାଧ୍ୟ କରିବ। ତେଣୁ ଏଥିରେ ପୁନର୍ବିଚାର କରାଯାଉ ବୋଲି କହିଥିଲେ।
୨୦୨୩ରେ ରାୟରେ କଣ କହିଥିଲେ କୋର୍ଟ ?
ଅକ୍ଟୋବର ୨୦୨୩ରେ, ତତ୍କାଳୀନ ଭାରତର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବାକୁ ମନା କରିଦେଇଥିଲେ। କୋର୍ଟ ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ଅନୁମତି ନ ଦେବାକୁ କୋର୍ଟ ନାଗରିକ ସଂଘକୁ ମନା କରିଦେଇଥିଲେ।
ଜଷ୍ଟିସ୍ ଭଟ୍ ଏଥିରେ ସର୍ବାଧିକ ମତ ଦେଇଥିବା ବେଳେ ଜଷ୍ଟିସ୍ କୌଲ୍, ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଏନେଇ କମ ଟିପ୍ପଣୀ କରିଥଇଲେ। ତଥାପି, ସମସ୍ତ ବିଚାରପତି ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪କୁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ ବୋଲି କହିଥିଲେ। ତେବେ କୋର୍ଟ ଆଇନ ତିଆରି କରିବା ମଞ୍ଚ ନୁହେଁ, ସଂସଦରେ ଏ ବିଷୟରେ ଆଲୋଚନା ହୋଇ ଆଇନ ତିଆରି କରାଯାଇପାରେ ବୋଲି କୋର୍ଟ କହିଥିଲେ।