ଜିରୋଧା ପ୍ରତିଷ୍ଠାତା ନିଖିଲ କାମାଥଙ୍କ ସହ ପିଏମ୍ ମୋଦୀଙ୍କ ପ୍ରଥମ ପଡ୍‌କାଷ୍ଟ, କହିଲେ- ଭୁଲ ସମସ୍ତଙ୍କ ଦ୍ୱାରା ହୁଏ...

Published By : Prameya-News7 Bureau | January 09, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିରୋଧାର ସହପ୍ରତିଷ୍ଠାତା ନିଖିଲ କାମାଥଙ୍କ ସହ ପ୍ରଥମ ପଡ୍‌କାଷ୍ଟ କରିଛନ୍ତି । ନିଖିଲ ଗୁରୁବାର ଏହି ପଡ୍‌କାଷ୍ଟର ଟ୍ରେଲର୍ ଜାରି କରିଛନ୍ତି । ଏଥିରେ ପିଏମ୍ ମୋଦୀ ଦୁନିଆରେ ଯୁଦ୍ଧର ସ୍ଥିତି, ରାଜନୀତିରେ ଯୁବକଙ୍କ ପ୍ରବେଶ, ପ୍ରଥମ ଏବଂ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟର ଅଭିଜ୍ଞତା ଉପରେ ବି ଜବାବ ଦେଇଛନ୍ତି । ପଡ୍‌କାଷ୍ଟରେ ପିଏମ୍ ମୋଦୀ ଏହା ବି କହିଛନ୍ତି ଯେ ଭୁଲ ସମସ୍ତଙ୍କ ଦ୍ୱାରା ହୁଏ, ମୋ ଦ୍ୱାରା ବି ହେଉଥିବ । ମୁଁ ବି ମଣିଷ, ଦେବତା ନୁହେଁ । 

ନିଖିଲ ପିଏମ୍ ମୋଦୀଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି କୌଣସି ଯୁବକ ରାଜନେତା ହେବାକୁ ଚାହାନ୍ତି, ତେବେ ତାଙ୍କ ପାଖରେ କଣ ଗୁଣ ରହିବା ଦରକାର । ଏହାର ଜବାବରେ ପିଏମ୍ କହିଥିଲେ ଯେ ରାଜନୀତିକୁ ଲଗାତାର ଭଲ ଲୋକ ଆସିବା ଦରକାର । ମିଶନ ନେଇ ଆସିବା ଦରକାର, ଆମ୍ୱିସନ ନେଇ ନୁହେଁ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୋର ଗୋଟିଏ ଭାଷଣ ଥିଲା, ଯେଉଁଥିରେ କହିଥିଲି ଭୁଲ ହୁଏ, ମୋ ଦ୍ୱାରା ବି ହେଉଥିବ । ମୁଁ ବି ମଣିଷ, କୌଣସି ଦେବତା ନୁହେଁ ।


ପଡ୍‌କାଷ୍ଟରରେ ବିଶ୍ୱର ଅନେକ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ନିଖିଲ କାମାଥ ପିଏମ୍ ମୋଦୀଙ୍କୁ ପ୍ରଶ୍ନ କରିଥିଲେ । ପ୍ରଶ୍ନ ଥିଲା, ଆଜି ପୂରା ଦୁନିଆରେ ଯୁଦ୍ଧ ଚାଲିଛି । ଏଥିରେ ଆମେ ଚିନ୍ତିତ ହେବା କି ? ଏହା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଲଗାତାର କହିଆସୁଛୁ, ଆମେ ନ୍ୟୁଟ୍ରଲ ନାହୁଁ, ମୁଁ ଶାନ୍ତି ପକ୍ଷରେ ରହିଛି । ସେହିପରି ପ୍ରଧାନମନ୍ତ୍ରୀ ଭାବେ ଦୁଇଟି କାର୍ଯ୍ୟକାଳର ଅଭିଜ୍ଞତା କିପରି ଥିଲା ପ୍ରଶ୍ନର ଜବାବରେ ପିଏମ୍ ମୋଦୀ କହିଥିଲେ, 'ପ୍ରଥମ ଟର୍ମରେ ଲୋକ ମୋତେ ବୁଝିବା ପାଇଁ ଉଦ୍ୟମ କରିଥିଲେ ଏବଂ ମୁଁ ଦିଲ୍ଲୀକୁ ବୁଝିବାକୁ ଉଦ୍ୟମ କରୁଥିଲି ।'

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଇଣ୍ଟରଭ୍ୟୁ ଦେଇସାରିଛନ୍ତି, କିନ୍ତୁ ଏହା ତାଙ୍କର ପ୍ରଥମ ପଡକାଷ୍ଟ ଇଣ୍ଟରଭ୍ୟୁ । ଗୁରୁବାର ନିଖିଲ ପଡକାଷ୍ଟର ପ୍ରଥମ ଟ୍ରେଲର୍ ଲଞ୍ଚ୍ କରିଛନ୍ତି । ୨ ମିନିଟ୍ ୧୩ ସେକେଣ୍ଡର ଏହି ପଡ୍‌କାଷ୍ଟ ଇଣ୍ଟରଭ୍ୟୁ ଟ୍ରେଲରରେ ପିଏମ୍ ମୋଦୀ ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି । ଖୁବଶୀଘ୍ର ଏହି ପଡ୍‌କାଷ୍ଟ ନିଖିଲ କାମାଥଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରଣ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.