ତିରୁପତି ଦଳାଚକଟା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ, ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଲେ ଚନ୍ଦ୍ରବାବୁ

Published By : Prameya-News7 Bureau | January 09, 2025 IST

ଅମରାବତୀ ୯।୧:  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ତିରୁପତି ମନ୍ଦିରରେ ହୋଇଥିବା ଦଳାଚକଟା ଘଟଣାର ଗୁରୁବାର ବିଚାରବିଭାଗୀୟ ତଦନ୍ତ ଘୋଷଣା କରିଛନ୍ତି। ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଭକ୍ତ ଆହତ ହୋଇଛନ୍ତି। ଏହି ଘଟଣା ପରେ ତିରୁପତି ଜିଲ୍ଲା ଏସପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିଦିଆଯାଇଛି। ଏହା ଛଡା ଘଟଣାସ୍ଥଳରେ ମୁତୟନ ଡିଏସପିଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। 

ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପରିବାର ନିମନ୍ତେ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ଚିକିତ୍ସା ନିମନ୍ତେ ୨ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଦେବାକୁ ମଧ୍ୟ ଘୋଷଣା କରାଯାଇଛି। ଏଥି ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନାୟଡୁ ପିଛିଲା ୱାଇଏସଆରସିପି ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ମନ୍ଦିରର ପ୍ରଥାଗୁଡିକରେ କରାଯାଇଥିବା ପରିବର୍ତ୍ତନ ଏହି ଘଟଣା ପାଇଁ ଦାୟି ହୋଇପାରେ। 

ସେ କହିଛନ୍ତି ଯେ ଗତ ସରକାରରେ ତିରୁମାଲା ପାହାଡରେ ପୂର୍ବ ପଦ୍ଧତୀକୁ ବଦଳା ଯାଇ ଏକ ନୂଆ ଟୋକନ ଜାରି କରାଯିବାର ବ୍ୟବସ୍ଥା ଲାଗୁ ହୋଇଥିଲା। ନାୟଡୁ ଏହି ପରିବର୍ତ୍ତନକୁ ସମସ୍ୟାର କାରଣ ବୋଲି କହିଛନ୍ତି। ବୁଧବାର ରାତିରେ ଏମଜିଏମ ସ୍କୁଲ ନିକଟସ୍ଥ ବୈରାଗୀ ପଟେଡାରେ ଭକ୍ତ ଟୋକନ କିଣିବା ପାଇଁ ଏକତ୍ରୀତ ହୋଇଥିବା ବେଳେ ଦଳାଚକଟା ହୋଇଥିଲା। ୧୦ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଥିବା ବୈକୁଣ୍ଠ ଦ୍ୱାର ଦର୍ଶନର ୧୦ ଦିନିଆ କାର୍ଯ୍ୟକ୍ରମ ପାଇଁ ଟୋକନ କିଣିବାକୁ ସାରା ଦେଶରୁ ଲୋକେ ଏଠାରେ ଏକଜୁଟ ହୋଇଥିଲେ। 

ଗୁରୁବାର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ନାୟଡୁ ହସ୍ପିଟାଲ ଗସ୍ତ କରି ଦଳାଚକଟାରେ ଆହତ ଭକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରିଥିଲେ। ଏହି ଅବସରରେ ସେ ଆହତମାନେ ମଧ୍ୟ ବୈକୁଣ୍ଠ ଦ୍ୱାର ଦର୍ଶନ କରିପାରିବେ ଓ ପରେ ସେମାନଙ୍କୁ ଘରକୁ ପହଞ୍ଚାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅବହେଳାକୁ ସ୍ୱୀକାର କରିବା ସହ ଦାୟି କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.