ମୁମ୍ଵାଇ ୦୯।୦୧; ମନୋରଞ୍ଜନ ଜଗତର ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ପରଲୋକରେ ଜଣାଶୁଣା କବି, ଲେଖକ, ସମ୍ପାଦକ ତଥା ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ। ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୁହାଯାଉଛି ଯେ ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଛି ।
ତାଙ୍କ ମୃତ୍ୟୁକୁ ନେଇ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର ଘନିଷ୍ଠ ବନ୍ଧୁ ଅନୁପମ ଖେର ଏବଂ ସୁହେଲ ସେଠ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରୀତିଶ ନନ୍ଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରୀତିଶ ନନ୍ଦୀ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି।
କହିବାକୁ ଗଲେ ପ୍ରୀତିଶ ନନ୍ଦୀ ଭାରତୀୟ ଗଣମାଧ୍ୟମ ଓ କଳା ସଂସ୍କୃତି କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ଜଣେ ସାମ୍ବାଦିକ, କବି, ଫିଲ୍ମ ପ୍ରଯୋଜକ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କର ଅନେକ ବଳିଷ୍ଠ ଅବଦାନ ରହିଛି। ୧୯୯୮ରେ ପ୍ରୀତିଶ ନନ୍ଦୀ ମହାରାଷ୍ଟ୍ରରୁ ଶିବସେନା ଟିକେଟ୍ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନନ୍ଦୀ ତାଙ୍କ ସାମ୍ବାଦିକତା ଜୀବନରେ `ଟାଇମ୍ସ ଅଫ୍ ଇଣ୍ଡିଆ'ର ପ୍ରକାଶନ ନିର୍ଦ୍ଦେଶକ ଥିଲେ।