ଲସଏଞ୍ଜେଲସ୍ ୯।୧: ଆମେରିକାର ଲସଏଞ୍ଜେଲସ୍ ଆଖପାଖ ଜଙ୍ଗଲରେ ଲାଗିଥିବା ନିଆଁ ଗୁରୁବାର ଦେଖୁ ଦେଖୁ ପୁରା ସହରକୁ ବ୍ୟାପିଯାଇଛି। ଲସଏଞ୍ଜେଲସ୍ ସହରର ଇତିହାସରେ ଏପରି ଅଗ୍ନିକାଣ୍ଡ କେବେ ଦେଖାଯାଇ ନଥିଲା। ଆମେରିକା ଫିଲ୍ମ ଇଣ୍ଡଷ୍ଟ୍ରିର ଗଡ଼ ମନେ କରାଯାଉଥିବା ହଲିଉଡ ବି ଏଥିରୁ ବାଦ ପଡିନି। ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଘରପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡକୁ ନେଇ ବଲିଉଡ ଅଭିନେତ୍ରୀ ନୋରା ଫତେହୀ ତାଙ୍କ ଯନ୍ତ୍ରଣାଦାୟକ ଅଭିଜ୍ଞତାକୁ ଇଂଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି।
ଏକ ଭିଡିଓରେ ଅଭିନେତ୍ରୀ ତାଙ୍କ ଅନୁଭବକୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବନ୍ଧୁଗଣ ମୁଁ ଏବେ ଲସଏଞ୍ଜେଲସରେ ଅଛି ଓ ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି। ମୁଁ ଏପରି ଘଟଣା ପୂର୍ବରୁ କେବେ କେଉଁଠି ଦେଖି ନଥିଲି। ଆମକୁ ୫ ମିନିଟ୍ ପୂର୍ବରୁ ଏଠାରୁ ବାହାରିଯିବାକୁ କୁହାଯାଇଛି। ଏଥି ପାଇଁ ମୁଁ ବ୍ୟସ୍ତତାରେ ମୋର ସମସ୍ତ ସାମଗ୍ରୀ ପ୍ୟାକ୍ କରିଛି ଓ ମୁଁ ଏଠାରୁ ବାହାରି ଯାଉଛି। ମୁଁ ଏୟାରପୋର୍ଟକୁ ଯାଇ ସେଠାରେ ବିଶ୍ରାମ ନେବି। ଆଜି ମୋର ଫ୍ଲାଇଟ୍ ଅଛି ଓ ଆଶା କରୁଛି ମୁଁ ଏଥିରେ ଭାରତ ଫେରିଯିବି।
ମୁଁ ଭାବୁଛି ବିମାନ କ୍ୟାନସଲ ନ ହୋଇପାରେ କାରଣ ଏହା ବହୁତ ଭୟାନକ ଘଟଣା। ମୁଁ ଏପରି ଅଭିଜ୍ଞତା ପୂର୍ବରୁ କେଉଁଠି ପାଇ ନଥିଲି। ମୁଁ ଘଟଣାର ଅପଡେଟ ଜଣାଉଥିବି ଓ ଆଶା କରୁଛି ଠିକ୍ ସମୟରେ ବାହାରି ଯିବି। ଏହା ପୂର୍ବରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ଇଂଷ୍ଟାରେ ପୋଷ୍ଟ ସେୟାର କରି ତାଙ୍କ ସମବେଦନା ଜଣାଇଥିଲେ। ଜଙ୍ଗଲ ନିଆଁ ବ୍ୟାପିଥିବାରୁ ଓସ୍କାର ନୋମିନେସନ ଭୋଟିଂ ସମୟ ସୀମାକୁ ଆଉ ଦୁଇ ଦିନ ଆଗକୁ ବଢେଇ ଦିଆଯାଇଛି। ସେହିପରି ନୋମିନେସନର ଘୋଷଣା ତାରିଖ ମଧ୍ୟ ୧୭ ଜାନୁୟାରୀ ବଦଳେ ୧୯ ଜାନୁୟାରୀ କରିଦିଆଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବନାଗ୍ନି ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୨୦୦୦ ବିଲ୍ଡିଂ ନଷ୍ଟ ହୋଇଗଲାଣି। ସେହିପରି ୧ଲକ୍ଷ ୩୭ ହଜାରରୁ ଅଧିକ ଲୋକ ନିଜ ଘରଦ୍ୱାର ଛାଡି ସୁରକ୍ଷିତ ଆଶ୍ରୟସ୍ଥଳକୁ ପଳାୟନ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ପ୍ୟାରିସ୍ ହିଲ୍ଟନ, ବିଲି କ୍ରିଷ୍ଟଲଙ୍କ ଭଳି ହଲିଉଡ କଳାକାରମାନେ ସେମାନଙ୍କ ଘର ହରାଇଛନ୍ତି।