ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡର ଆଇଏସ ଅଫିସର ତଥା କେନ୍ଦ୍ର ଅର୍ଥ ସଚିବ ତୁହିନ୍ କାନ୍ତ ପାଣ୍ଡେ ଗୁରୁବାର ଅର୍ଥ ମନ୍ତ୍ରଣାଳୟରେ ରାଜସ୍ୱ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଧବାର କ୍ୟାବିନେଟର ନିଯୁକ୍ତି କମିଟି ପାଣ୍ଡେଙ୍କୁ ରାଜସ୍ୱ ସଚିବ ଭାବେ ନିଯୁକ୍ତ ଦେଇଥିଲା। ଗୁରୁବାର ସେ ତାଙ୍କ ଦାୟିତ୍ୱ ସମ୍ଭାଳିଛନ୍ତି।
ପାଣ୍ଡେ ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ଏବଂ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ (ଡିପିଇ)ର ଦାୟିତ୍ୱ ତୁଲାଉଥିଲେ। ଏବେ ନୂଆ ଦାୟିତ୍ୱ ମିଳିବା ସତ୍ତ୍ୱେ ବି ସେ ଅର୍ଥ ସଚିବ ରହିବେ ବୋଲି କେନ୍ଦ୍ର କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି।
ଅର୍ଥ ମନ୍ତ୍ରଣାଳୟର ୬ ଟି ବିଭାଗ ରହିଛି। ସେଗୁଡ଼ିକ ହେଲା - ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ବ୍ୟୟ, ଆର୍ଥିକ ସେବା, DIPAM ଏବଂ DPE । ମନ୍ତ୍ରଣାଳୟର ସବୁଠାରୁ ବରିଷ୍ଠ ଅଧିକାରୀଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଥାଏ। ଗତବର୍ଷ ଓଡ଼ିଶା କ୍ୟାଡର ୧୯୮୭ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ପାଣ୍ଡେଙ୍କୁ ଗତ ବର୍ଷ ସେପ୍ଟେମ୍ବର ମାସରେ ଅର୍ଥ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।
ଅର୍ଥ ମନ୍ତ୍ରଣାଳୟ ପୂର୍ବରୁ କେଉଁଠି ନିଯୁକ୍ତ ହୋଇସାରିଛନ୍ତି ତୁହିନ୍ କାନ୍ତ ପାଣ୍ଡେ ?
ଦୀପମରେ ସଚିବ ଭାବରେ କାର୍ଯ୍ୟ କରିବା ପୂର୍ବରୁ ଶ୍ରୀ ପାଣ୍ଡେ ମିଳିତ ଜାତିସଂଘର ଶିଳ୍ପ ବିକାଶ ସଂଗଠନ (UNIDO) ର ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟ କରି ସାରିଛନ୍ତି। ଏହା ବାଦ୍ ସେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ଥିଲେ।
କେନ୍ଦ୍ର ସରକାରରେ ତାଙ୍କର ପୂର୍ବ ପଦବୀରେ ଯୋଜନା ଆୟୋଗର ଯୁଗ୍ମ ସଚିବ (ବର୍ତ୍ତମାନ ନୀତି ଆୟୋଗ), କ୍ୟାବିନେଟ ସଚିବାଳୟରେ ଯୁଗ୍ମ ସଚିବ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଡେପୁଟି ସେକ୍ରେଟାରୀ ରହି ସାରିଛନ୍ତି। ସେହିପରି ଓଡ଼ିଶା ସରକାରରେ ସେ ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ, ବାଣିଜ୍ୟିକ କର, ପରିବହନ ଏବଂ ଅର୍ଥ ବିଭାଗରେ ପ୍ରଶାସନିକ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ରାଜ୍ୟ ଅର୍ଥ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ପାଣ୍ଡେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ଼ରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ଏବଂ ବର୍ମିଂହାମ ବିଶ୍ୱବିଦ୍ୟାଳୟ (ୟୁକେ) ରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି।