ନୂଆଦିଲ୍ଲୀ: ଆପଲ୍ର ସହପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ଜବ୍ସ ପ୍ରୟାଗରାଜ ମହାକୁମ୍ଭରେ ଯୋଗ ଦେବେ । ପ୍ରତି ୧୨ ବର୍ଷରେ ଥରେ ଆୟୋଜନ ହେଉଥିବା ହିନ୍ଦୁଙ୍କ ଏହି ପବିତ୍ର ମେଳାରେ ପାଭେଲ୍ ଜଣେ ସାଧ୍ୱୀ ରୂପେ ମହାକୁମ୍ଭରେ ଦୁଇ ସପ୍ତାହ ଯାଏ ରହିବେ । କଳ୍ପବାସରେ ସେ ସମୟ ବିତାଇବେ । କଳ୍ପବାସ ଅତ୍ୟନ୍ତ ପୁରୁଣା ହିନ୍ଦୁ ପରମ୍ପରା ଅଟେ, ଯାହାର ମହାକୁମ୍ଭ ପରି ମହାମେଳାରେ ଅଧିକ ମହତ୍ୱ ରହିଛି । ଏହାର ଉଲ୍ଲେଖ ବେଦ-ପୁରାଣରେ ବି ରହିଛି ।
ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ପାୱେଲ ନିରଞ୍ଜନୀ ଆଖାଡ଼ାର ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସନନ୍ଦଙ୍କ ଶିବିରରେ ରହିବେ । ମହାକୁମ୍ଭର ବିଭିନ୍ନ ଅନୁଷ୍ଠାନରେ ଯୋଗ ଦେବା ସହ ସଙ୍ଗମରେ ସ୍ନାନ ମଧ୍ୟ କରିବେ ।
କଳ୍ପବାସ କଣ ?
କୁହାଯାଏ ଯେ କଳ୍ପବାସ କରିବା ଦ୍ୱାରା ମାନସିକ ପୂରଣ ହୋଇଥାଏ । ଏହାଦ୍ୱାରା ଜନ୍ମ ଜନ୍ମର ବନ୍ଧନରୁ ମୁକ୍ତି ମିଳିଥାଏ । ସଙ୍ଗମରେ ମାଘ ମାସ ସାରା ସାଧାନକୁ କଳ୍ପବାସ କୁହାଯାଏ । ମହାଭାରତ ଅନୁସାରେ ୯ ବର୍ଷ ଯାଏ ନଖାଇ ନପିଇ ତପତ୍ସ୍ୟା କରିବାରେ ଯେଉଁ ଫଳ ମିଳେ, ମାଘ ମାସର କଳ୍ପବାସରେ ସେହି ସମାନ ଫଳ ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ଅନୁସାରେ କଳ୍ପବାସର ସବୁଠୁ କ୍ଷୁଦ୍ର ଅବଧି ଗୋଟିଏ ରାତି ହୋଇପାରେ । ଅନେକ ଲୋକ କଳ୍ପବାସ ତିନି ରାତି, ତିନ ମାସ, ୧୨ ବର୍ଷ ଏବଂ ସାରା ଜୀବନ କରିଥାନ୍ତି ।
କଳ୍ପବାସ ନିୟମ କଣ ?
କଳ୍ପବାସ କରିବା ସହଜ ନୁହେଁ । କଳ୍ପବାସ ସମୟରେ କିଛି କଠୋର ନିୟମ ଅନୁପାଳନ କରିବାକୁ ପଡ଼ିଥାଏ । ସତ କହିବା, ଅହିଂସା, ଇନ୍ଦ୍ରିୟଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବା, ସମସ୍ତଙ୍କ ପ୍ରତି ଦୟାଭବ ଦେଖାଇବା, ବ୍ରହ୍ମଚର୍ଯ୍ୟ ପାଳନ କରିବା, ସମସ୍ତ ମୋହ ମାୟାକୁ ତ୍ୟାଗ କରିବା, ବ୍ରହ୍ମ ମୁହୂର୍ତ୍ତରେ ଉଠିବା, ପ୍ରତିଦିନ ତିନି ଥର ପବିତ୍ର ସ୍ନାନ କରିବା, ଦାନ କରିବା, ଜପ କରିବା, ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବାହାରକୁ ନଯିବା, କାହାକୁ ନିନ୍ଦା ନକରିବା, ସାଧୁଙ୍କ ସେବା କରିବା, ଗୋଟିଏ ସମୟରେ ଭୋଜନ, ଭୂମିରେ ଶୋଇବା, ଅଗ୍ନି ସେବନ ଏବଂ ଶେଷରେ ଦେବ ପୂଜା ସାମିଲ ରହିଛି ।