ଦିଲ୍ଲୀ ବିଧାନସଭା ନିର୍ବାଚନ: ରେବଡ଼ି ବାଣ୍ଟିବାରେ କିଏ ଆଗରେ ବିଜେପି, ଆପ୍ ନା କଂଗ୍ରେସ ?

Published By : Prameya-News7 Bureau | January 09, 2025 IST

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦ୍‌ମୀ ପାର୍ଟି ମାଗଣା ରେବଡ଼ି ଦେଉଛି ବୋଲି କହି ବିଜେପି ସମାଲୋଚନା କରୁଥିବା ବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖୋଦ୍ ବିଜେପି ରେବଡ଼ି ବାଣ୍ଟିପାରେ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀବାସୀଙ୍କୁ ଲୋଭ ଦେଖାଇବା ପାଇଁ ଏଠି ବି ଦଳ ୩୦୦ ୟୁନିଟ ମାଗଣା ବିଜୁଳି, ମାଗଣା ଜଳ ଯୋଗାଣ ସହ ଲାଡ୍‌ଲୀ ବେହେନା ଭଲି ଯୋଜନା ଘୋଷଣା କରିପାରେ। 

ଏହା ବାଦ ଧାର୍ମିକ ସ୍ଥାନଗୁଡ଼ିକୁ ୫୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବା ନେଇ ନିର୍ବାଚନ ଇସ୍ତାହାରରେ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ସମସ୍ତଙ୍କ ନଜର ଲାଡଲି ବେହନା ଭଳି ଯୋଜନା ଉପରେ ରହିଛି। କାରଣ ଏହି ଯୋଜନା ମାଧ୍ୟମରେ ବିଜେପି ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ସରକାର ଗଠନ କରିଛି। ଏହି ଯୋଜନା ମାଧ୍ୟମରେ ସରକାର ମହିଳାଙ୍କ ଆକାଉଣ୍ଟକୁ ସିଧା ସଳଖ ପଇସା ପଠାଉଛନ୍ତି।

ଗତ କିଛି ବର୍ଷ ହେବା ମହିଳା ଭୋଟର ରାଜନୈତିକ ଦଳଗୁଡ଼ିକର ଭାଗ୍ୟ ନିର୍ଦ୍ଧାରଣ କରିବା ଦିଗରେ ବଡ଼ ଭୂମିକା ନିର୍ବାହ କରୁଛନ୍ତି। ଏଥିପାଇଁ ଦିଲ୍ଲୀରେ ମଧ୍ୟ ଉଭୟ ବିଜେପି ଓ ଆପ୍ ମହିଳା ଭୋଟରଙ୍କ ଉପରେ ଫୋକସ୍ କରିପାରେ। ଆପ୍ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମହିଳା ସମ୍ମାନ ଯୋଜନା ମାଧ୍ୟମରେ ଭତ୍ତା ଟଙ୍କାକୁ ଏକ ହଜାର ଟଙ୍କାରୁ ୨୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି। 
ଏହା ବାଦ୍ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ  ସଞ୍ଜିବନୀ ଯୋଜନା ଲଞ୍ଚ କରିବାକୁ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ଅଟୋ ରିକ୍ସା ଚାଳକଙ୍କ ପାଇଁ ମଧ୍ୟ କେଜରିୱାଲ୍ ଲୋଭନୀୟ ଘୋଷଣା କରିଛନ୍ତି। 

ଦିଲ୍ଲୀର ଅଟୋରିକ୍ସା ଚାଳକମାନଙ୍କ ପାଇଁ କେଜରିୱାଲ ୧୫ ଲକ୍ଷ ଟଙ୍କାର ଜୀବନ ଏବଂ ଦୁର୍ଘଟଣା ବୀମା, ଝିଅଙ୍କ ବାହାଘର ପାଇଁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ବର୍ଷକୁ ଦୁଇଥର ୨୫୦୦ ଟଙ୍କା ୟୁନିଫର୍ମ ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଗତ ଦଶନ୍ଧିର ଆପ୍ ରାଜନୀତିରେ ଦଳର ପ୍ରମୁଖ ଘୋଷଣା ଗୁଡ଼ିକ ଭୋଟରେ ପରିଣତ ହୋଇଛି। ଯଥା ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଏବଂ ନିର୍ବାଚନ ପୂର୍ବରୁ ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା। ଏଗୁଡ଼ିକ ଆପର ଶାସନ ମଡେଲରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କୁହାଯାଉଛି। 

ସେହିପରି ଶୀଲା ଦିକ୍ଷିତଙ୍କ ଗଡ଼ର ପତ୍ତନ ପରେ ଦିଲ୍ଲୀରେ ସରକାର କରିପାରି ନଥିବା କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ 'ପ୍ୟାରୀ ଦିଦି ଯୋଜନା' ଘୋଷଣା କରିଛି। ଏହି ଯୋଜନା ଦିଲ୍ଲୀର ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ ପ୍ରତିମାସରେ ୨,୫୦୦ ଟଙ୍କା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.