ଭୁବନେଶ୍ୱର ୦୯।୦୧: ଗୁରୁବାର ପ୍ରବାସୀ ଭାରତୀୟ ସମ୍ମେଳନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ। ୪ଟି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉଦ୍ ଘାଟନ କରିବେ। ସେଗୁଡ଼ିକ ହେଲା ବିଶ୍ବରୂପ ରାମ: ଦ ୟୁନିଭର୍ସାଲ ଲିଗାସି ଅଫ୍ ରାମାୟଣ, ବୈଷୟିକ ଜ୍ଞାନ ପାଇଁ ପ୍ରବାସୀଙ୍କ ଅବଦାନ, ଭାରତ ଭାରତୀୟ: ସ୍ବଦେଶ ପ୍ରଦେଶ, ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ପ୍ରଦର୍ଶନୀ। ଏହାସହ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ଉଦ୍ ଘାଟନ କରାଯିବ।
କାର୍ଯ୍ୟସୂଚୀ ଅନୁସାରେ, ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ସିଧାସଳଖ ଅନୁଷ୍ଠିତ ରାଜଭବନରୁ ଯାଇ ଜନତା ମଇଦାନରେ ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହେବେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ତ୍ରିନିଦାଦ ଓ ଟୋବାଗେ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗା କାଙ୍ଗାଲୁ । ଉଦଘାଟନୀ ଉତ୍ସବ ପ୍ରାୟ ଦେଢ ଘଣ୍ଟା ଚାଲିବ। ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରିଯାପନ କରିଛନ୍ତି । ମୋଦିଙ୍କ ସୁରକ୍ଷା ପାଇଁ ବ୍ଲୁ-ବୁକ୍ ଅନ୍ତର୍ଗତ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଦାୟିତ୍ବରେ ୫୦୦ ଅଧିକାରୀ, ୮୩ ପ୍ଲାଟୁନ୍ ଫୋର୍ସ ଅଛନ୍ତି। ଆଜି ଅପରାହ୍ନରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ। ଏଥିରେ ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ ଉପରେ ଆଲୋଚନା ହେବ।