ମୁମ୍ଵାଇ ୦୯।୦୧; ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ହଠାତ୍ ତାଙ୍କ ଭାଣଜୀଙ୍କ ବିବାହ ଭୋଜିରେ ଏଣ୍ଟ୍ରି କରିଥିଲେ। ଏଠାରେ ସେ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟରେ ବିଷ ମିଶାଇଥିଲେ। ଏନେଇ ବୁଧବାର ଦିନ ପୋଲିସ କହିଛି ଯେ ଅଭିଯୁକ୍ତ ତାଙ୍କ ଭାଣିଜୀଙ୍କ ବିବାହ ବିରୋଧରେ ଥିଲେ ଏବଂ ଏହିଯୋଗୁଁ ସେ ଏହି କାର୍ଯ୍ୟ କରିଛନ୍ତି।
ପୋଲିସ ସୂଚନା ଅନୁସାରେ ମାମୁ ମହେଶ ପାଟିଲ ଘରେ ହିଁ ତାଙ୍କ ଭାଣିଜୀର ସବୁ ଲାଳନପାଳନ ହୋଇଥିଲା। ହେଲେ ଭାଣିଜୀ ସେହି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଘର ଲୋକ ରାଜି ନହେବାରୁ ସେ ପ୍ରେମିକଙ୍କ ସହ ଲୁଚି ଘରୁ ପଳାଇ ବିବାହ କରିଥିଲେ। ଏହି କାରଣରୁ ଯୁବତୀଙ୍କ ମାମୁ ରାଗି ଯାଇଥିଲେ। ପ୍ରତିଶୋଧ ନେବାକୁ ଯାଇ ସେ ଭାଣିଜୀଙ୍କ ବିବାହ ରିସେପ୍ସନ ଭୋଜିରେ ବିଷ ମିଶାଇ ଦେଇଥିଲେ।
ବଡ କଥା ହେଉଛି ଆସିଥିବା ଅତିଥିମାନେ କେହି ଖାଦ୍ୟ ଖାଇ ନଥିଲେ । ମାମଲା ସାମ୍ନାକୁ ଆସିବା ପରେ, ଏହାର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପଟେ ବିବାହ ରିସେପ୍ସନରେ ଉପସ୍ଥିତ କିଛି ଲୋକ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ଅଭିଯୁକ୍ତ ଫେରାର୍ ଅଛି। ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି।