ମାତୁଛି ଏଚଏମପିଭି: କେତେ ଭୟଙ୍କର, ଟେଷ୍ଟିଂ ମୂଲ୍ୟ କେତେ ଓ କେମିତି ରହିବେ ସତର୍କ ଜାଣନ୍ତୁ

Published By : Prameya-News7 Bureau | January 08, 2025 IST

indiatoday

ନୂଆଦିଲ୍ଲୀ: କରୋନା ପରେ ଏବେ ହ୍ୟୁମାନ ମେଟନ୍ୟୁମୋଭାଇରସ(ଏଚଏମପିଭି) ମାତୁଛି। ଚୀନରୁ ଏହି ଭାଇରସ ବର୍ତ୍ତମାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆମେରିକା ଓ ୟୁରୋପ ସମେତ ଭାରତରେ ପହଞ୍ଚି ସାରିଛି। ଭାରତରେ ବେଙ୍ଗାଲୁରୁ ଓ ଅହମଦାବାଦ, ଚେନ୍ନାଇ ଓ ସାଲେମ ଆଦି ସହରରେ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ଖବର ରହିଛି। ମଙ୍ଗଳବାର ନାଗପୁରରେ ଦୁଇ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ଭଳି ଏହା ମଧ୍ୟ ଏକ ଶ୍ୱାସକ୍ରିୟା ଜନିତ ରୋଗ। ସାମାନ୍ୟ ଲକ୍ଷଣ ଓ ଗୁରୁତର ଲକ୍ଷଣ ମଧ୍ୟ ରହିଛି। ଏହି ଭାଇରସ ବିଶେଷ କରି ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କୁ ସଂକ୍ରମିତ କରୁଛି। ବର୍ତ୍ତମାନ ଏହି ଭାଇରସକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ଏହାର ଚିକିତ୍ସା, ନିରାକରଣ ଓ ଟେଷ୍ଟିଂ ମୂଲ୍ୟ ବିଷୟରେ ଲୋକେ ଜାଣିବାକୁ ଚାହୁଁଛନ୍ତି। 
MHPV ଟେଷ୍ଟିଂ ମୂଲ୍ୟ 
HMPV ପରୀକ୍ଷଣରେ ଉନ୍ନତମାନ ନିଦାନ ଉପକରଣ ଆବଶ୍ୟକତା ପଡ଼ିଥାଏ।  ଯେପରିକି ବାୟୋଫାୟାର୍ ପ୍ୟାନେଲ୍, ଯାହା HMPV ସମେତ ଏକାଧିକ ପାଥୋଜେନ ଚିହ୍ନଟ କରିପାରିବ। ରିପୋର୍ଟ ଅନୁଯାୟୀ, ଡକ୍ଟର ଲାଲ ପ୍ୟାଥୋ ଲ୍ୟାବ, ଟାଟା ୧ଏମ୍‌ଡି ଲ୍ୟାବ ଏବଂ ମ୍ୟାକ୍ସ ହେଲ୍ଥ କେୟାର ଭଳି ଅଗ୍ରଣୀ ଲ୍ୟାବଗୁଡ଼ିକରେ HMPV RT-PCR ପରୀକ୍ଷା ପାଇଁ ୩ ହଜାରରୁ ୮ ହଜାର ଟଙ୍କା ନିଆଯାଉଛି। ତେବେ HMPV ସମେତ ଅନ୍ୟ ଶ୍ୱାସକ୍ରିୟା ଜନିତ ରୋଗରେ ପରୀକ୍ଷଣ କଲେ ଏଥିରେ ୨୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ନେଜୋଫେରଞ୍ଜିଆଲ ସ୍ୱାବ,ସ୍ପୁଟମ୍, ଏବଂ ଟ୍ରାକିଆଲ୍ ଆସ୍ପିରେଟ୍ ସ୍ୱାବ ଟେଷ୍ଟ କରାଯାଏ। 
ଏଚଏମ୍‌ପିଭି କ’ଣ ?

ଏଚଏମପିଭି ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ଏହା ଏକ ଶ୍ୱାସକ୍ରିୟା ଜନିତ ଆରଏନ୍‌ଏ ଭୂତାଣୁ ଜନିତ ରୋଗ। ସାଧାରଣତଃ ଶୀତ ଋତୁ ସମୟରେ ଏହା ବ୍ୟାପିଥାଏ। ଏହି ଭୂତାଣୁ ପ୍ରଥମତଃ ଶ୍ୱସନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ବିଶେଷ କରି ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗପ୍ରତିରୋଧକ ଶକ୍ତି କମ ଥିବା ଲୋକ ଏଥିରେ ସଂକ୍ରମିତ ହୋଇଥାନ୍ତି। 

ଲକ୍ଷଣ-ଏହାର ଲକ୍ଷଣ ସାଧାରଣ ଥଣ୍ଡାରେ ଦେଖାଯାଉଥିବା ଲକ୍ଷଣ ପରି। ଯଥା ନାକ ବନ୍ଦ ହେବା, ଗଳା ଖରାପ ହେବା ଓ କାଶ ଭଳି ଲକ୍ଷଣ ଦେଖାଯାଏ। ତେବେ ବିପଦପ୍ରବଣ ବର୍ଗରେ ଥିବା ବ୍ୟକ୍ତିଙ୍କ ଠାରେ ନିମୋନିଆ,ଶ୍ୱାସକ୍ରିୟାର ସମସ୍ୟା ଦେଖାଦେବ। ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କ ଠାରେ ମୁହଁ ଓ ଆଙ୍ଗୁଳି ଆଦି କଳା ପଡ଼ିଯିବ। ବାରମ୍ବାର ନିଃଶ୍ୱାସ ନେବା ଓ ନିଶ୍ୱାସ ନେବା ସମୟର ଶବ୍ଦ ହେବା ଭଳି ଲକ୍ଷଣ ଦେଖାଯାଏ। 
ଏଚଏମ୍‌ପିଭି ଚିକିତ୍ସା 

ଏଚଏମ୍‌ପିଭି ଭାଇରସ ପାଇଁ ଏପର୍ଯ୍ୟନ୍ତ କୌଣସି ଆଣ୍ଟି ଭାଇରସ ଔଷଧ ତିଆରି ହୋଇ ନାହିଁ। ସାମାନ୍ୟ ସଂକ୍ରମଣ କ୍ଷେତ୍ରରେ ଘରେ ରହି ସତର୍କତା ଅବଲମ୍ବନ କଲେ ଭଲ ରୋଗୀ ସୁସ୍ଥ ହୋଇଯାଇଥାଏ। ହେଲେ ଗୁରୁତର କ୍ଷେତ୍ରରେ ହସ୍‌ପିଟାଲ୍‌ରେ ଆଡ୍‌ମିଶନ ହେବାକୁ ପଡ଼ିଥାଏ। ଅକ୍ସିଜେନ ଥେରାପି, ଇଣ୍ଟ୍ରାଭେନସ ଫ୍ଲୁଇଡ୍(ରୋଗ କିମ୍ବା ଅପରେଶନ ବେଳେ ଶରୀରରେ ପାଣିର ଅଭାବ ପୂରଣ କରିବା ଦିଆଯାଉଥିବା ଲିକ୍ୱିଡ୍ ଚିକିତ୍ସା) ଓ ଶ୍ୱାସକ୍ରିୟା ନିୟନ୍ତ୍ରଣ ପାଇଁ କର୍ଟିକୋଷ୍ଟେରଏଡ୍ ଭଳି ଔଷଧ ଦିଆଯାଇଥାଏ। 

ସରକାରୀ ନିର୍ଦ୍ଦେଶାବଳୀ ଏବଂ ପ୍ରତିଷେଧକ ବ୍ୟବସ୍ଥା

ଏଥିରେ ଅଯଥା ଭୟଭୀତ ନ ହୋଇ ସତର୍କ ରହିବା ଜରୁରୀ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଚନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ଅଧ୍ୟକ୍ଷ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ ଏଥିରେ ମାସ୍କ ପିନ୍ଧିବାର ପରାମର୍ଶ ଦେଇଛନ୍ତି। ତା’ସହିତ ହାତ ସଫା ରଖିବା ଏବଂ ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ସ୍ୱାମିନାଥନ ପରାମର୍ଶ ଦେଇଛନ୍ତି। 

ଏଚଏମପିଭିରୁ ନିଜକୁ କେମିତି ଦୂରେଇ ରଖିବେ ?

• ସାବୁନରେ ନିୟମିତ ଭାବେ ହାତ ଧୁଅନ୍ତୁ। ଅତିକମରେ ୬୦% ଆଲକହଲ ଥିବା ସାନିଟାଇଜର ବ୍ୟବହାର କରନ୍ତୁ।
• ଶ୍ୱାସକ୍ରିୟା ଜନିତ ଲକ୍ଷଣ ଦେଖାଉଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। 
• ଚଳପ୍ରଚଳ କରାଯାଉଥିବା କିମ୍ବା ସମସ୍ତେ ଛୁଉଁଥିବା ସର୍ବସାଧାରଣ ସ୍ଥାନଗୁଡ଼ିକୁ ସାବୁନ କିମ୍ବା ସାନିଟାଇଜରରେ ବିଷୋଧନ କରନ୍ତୁ। 
• ନିଃଶ୍ୱାସ ନେବା ବେଳେ ଉଚ୍ଚା ସ୍ୱାରରେ ସାଉଣ୍ଟ ହେବା କିମ୍ବା ନିଶ୍ୱାସ ନେବାର କଷ୍ଟ ଅନୁଭବ କଲେ ତୁରନ୍ତ ଡାକ୍ତର ପରାମର୍ଶ ନିଅନ୍ତୁ।
• ଯଦିଓ ଏଚଏମପିଭି ନୂଆ ନୁହେଁ, ତେବେ ବେଳକୁ ହୁଁ ସତର୍କତା ଅବଲମ୍ବନ ଓ ଚିକିତ୍ସା କଲେ ରୋଗରୁ ମୁକ୍ତି ମିଳିପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.