ନୂଆଦିଲ୍ଲୀ: ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଜେପି ନେତା ରମେଶ ବିଧୁରୀ। କିଛି ସମୟ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ କ୍ଷମା ମାଗିଥିବା ରମେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନାଙ୍କ ବିରୋଧରେ ବିବାଦୀୟ ବୟାନ ନେଇଛନ୍ତି।
କାଲ୍କାଜୀର ବିଜେପି ପ୍ରାର୍ଥୀ ବିଧୁରୀ କହିଛନ୍ତି ଅତିଶୀ ତାଙ୍କ ବାପା ବଦଳାଇଛନ୍ତି। ଦିଲ୍ଲୀରେ ଲୋକଙ୍କୁ ସମ୍ବୋଧନ କଲା ବେଳେ ବିଧୁର କହିଛନ୍ତି “ ଅତୀଶ ଯିଏ ମାର୍ଲେନା ଥିଲେ, ସେ ବର୍ତ୍ତମାନ ସିଂହ। ସେ ତାଙ୍କ ବାପା ବି ବଦଳାଇ ଦେଇଛନ୍ତି।” ବିଜେପି ନେତା କହିଛନ୍ତି “ ଅତିଶୀ ମାର୍ଲେନାଙ୍କ ବାପାମା ଆତଙ୍କବାଦୀ ଅଫଜଲ ଗୁରୁ ପାଇଁ କ୍ଷମା ଯାଚନା ଆବେଦନ କରିଥିଲେ। ଯେଉଁ ଆତଙ୍କବାଦୀ ପାଇଁ ଏକାଧିକ ସାହସୀ ଯବାନ ସହିଦ ହେଲେ। ମୁଁ ଦିଲ୍ଲୀର ଲୋକଙ୍କୁ ପଚାରିବାକୁ ଚାହୁଁଛି କି ଯେଉଁମାନେ ଗୁରୁର ମୃତ୍ୟୁଦଣ୍ଡ ପାଇଁ କ୍ଷମା ଯାଚନା କରିଥିଲେ ସେମାନଙ୍କୁ ଦିଲ୍ଲୀବାସୀ ସମର୍ଥନ କରିବାକୁ ଚାହୁଁଛନ୍ତି କି?”
ରମେଶ ବିଧୁରୀଙ୍କ ଏଭଳି ବ୍ୟକ୍ତିଗତ ଆଟାକ୍କୁ କଡ଼ା ସମାଲୋଚନା କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍। ବିଜେପି ନେତା ନିର୍ଲଜତାର ସମସ୍ତ ସୀମା ପାର୍ କରିଦେଇଛନ୍ତି। କେଜରିୱାଲ୍ ଟ୍ୱିଟ୍ କରି କହିଛନ୍ତି “ବିଜେପି ନେତାମାନେ ନିର୍ଲଜତାର ସମସ୍ତ ସୀମା ପାର୍ କରି ଦେଇଛନ୍ତି। ବିଜେପି ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଦୀଙ୍କୁ ଗାଳି ଦେଇଛନ୍ତି। ଦିଲ୍ଲୀବାସୀ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଅପମାନ ସହ୍ୟ କରିପାରିବେ ନାହିଁ। ଦିଲ୍ଲୀର ସମସ୍ତ ମହିଳା ଏହାର ପ୍ରତିଶୋଧ ନେବେ।”
ରମେଶ ଏହା ପୂର୍ବରୁ ୱାୟନଡ଼ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଦରେ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ “ ସମସ୍ତେ ଜାଣନ୍ତି ଯେ ଦିନେ ଲାଲୁ ଯାଦବ କହିଥିଲେ ଯେ ସେ ହେମାମାଳିନୀଙ୍କ ପରି ରାସ୍ତା ଚିକ୍କଣ କରିବେ। ହେଲେ ସେ ତାଙ୍କ ପ୍ରତିଶ୍ରୁତି ପୂରା କରିପାରିଲେ ନାହିଁ। ମୁଁ କିନ୍ତୁ ଆପଣଙ୍କୁ କଥା ଦେଉଛି ଯେ ଯେମିତି ଆମେ ଓଖଲା ଓ ସଂଗମ ବିହାରର ରାସ୍ତା ବଦଳେଇ ଦେଲୁ ସେମିତି ଆମେ ସୁନିଶ୍ଚିତ କରୁଛି ଯେ କାଲ୍କାଜୀର ପ୍ରତ୍ୟୋକ ରାସ୍ତା ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ପରି ଚିକ୍କଣ କରିଦେବୁ।” ତାଙ୍କର ଏହି ବୟାନର ସମାଲୋଚନା ହେବା ପରେ ସେ ଏକ୍ସରେ ପୋଷ୍ଟ କରି କ୍ଷମା ବି ମାଗିଥିଲେ।