ନୂଆଦିଲ୍ଲୀ ୦୭/୦୧: ସୁନା ଭଳି ରୂପାର ହଲମାର୍କିଂ ହୋଇପାରେ ବାଧ୍ୟତାମୂଳକ । ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ । ଏନେଇ ଗୁଜରାଟ, କର୍ଣ୍ଣାଟକ କଳି କିଛି ରାଜ୍ୟର ଗ୍ରାହକ ଦାବି କରିଛନ୍ତି । ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଠକାମିରେ ପଡ଼ିବେନି । ହଲମାର୍କିଂ ପାଇଁ ୩ରୁ ୬ ମାସ ମଧ୍ୟରେ ବିଆଇଏସ୍ ପ୍ରସ୍ତୁତ ହୋଇପାରିବ । ଏଥିପାଇଁ ଅଂଶୀଦାରମାନଙ୍କ ସହ ବିଚାରବିମର୍ଶ ଚାଲିଛି ।
ମନ୍ତ୍ରୀ ଦେଲେ ପ୍ରସ୍ତାବ, ବିଚାର କରିବ ‘ବିଆଇଏସ୍’ । ସୁନା ଭଳି ରୂପାର ହଲମାର୍କିଂକୁ ବାଧ୍ୟତାମୂଳକ କରିପାରନ୍ତି ସରକାର । ରୁପା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢ଼ିଛି । ରୂପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି । ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି ।
ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ମାନକ ବ୍ୟୁରୋ ରୂପାର ହଲମାର୍କିଂ ବାଧ୍ୟତାମୂଳକ କରିବା ଦରକାର ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ରୂପାର ହଲମାର୍କିଂ କରିବାକୁ ଗୁଜରାଟ, କର୍ଣ୍ଣାଟକ ଓ ଅନ୍ୟ କେତେକ ରାଜ୍ୟର ଗ୍ରାହକ ଦାବି କରିଥିବା ମନ୍ତ୍ରୀ କହିଛନ୍ତି ।
ବିଆଇଏସର ୭୮ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ରୂପାର ହଲମାର୍କିଂ ହେଉଛି ଗ୍ରାହକଙ୍କ ଦାବି । ବିଆଇଏସ୍ ତାହା ଉପରେ ବିଚାର କରି ନିଷ୍ପତ୍ତି ନେଇପାରିବ । ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଛଅ ସଂଖ୍ୟା ବିଶିଷ୍ଟ କୋଡ୍ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛନ୍ତି । ରୂପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ନକଲି ରୂପା ଠକାମିର ଶିକାର ହେବେନାହିଁ ।
ରୂପାର ହଲମାର୍କିଂ ସମ୍ପର୍କରେ ବିଆଇଏସର ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ କହିଛନ୍ତି ଯେ ଆଗାମୀ ତିନିରୁ ଛଅ ମାସ ମଧ୍ୟରେ ରୁପା ହଲମାର୍କିଂକୁ ବାଧ୍ୟତାମୂଳକ କରିବା ଲାଗି ବିଆଇଏସ୍ ପ୍ରସ୍ତୁତ ହୋଇପାରିବ । ଅଂଶୀଦାରମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ବର୍ତ୍ତମାନ ୩୬୧ଟି ଜିଲ୍ଲାରେ ସୁନା ହଲମାର୍କିଂ ବାଧ୍ୟତାମୂଳକ ହୋଇଛି ।
ହଲମାର୍କିଂ ହେଉଛି ସାର୍ଟିଫିକେସନର ଏକ ପ୍ରକ୍ରିୟା ଯେଉଁଥିରେ ସୁନା ଓ ରୁପା ଭଳି ମୂଲ୍ୟବାନ ଧାତବ ପଦାର୍ଥର ଶୁଦ୍ଧତା ଓ ପରିମାଣକୁ ସାର୍ଟିଫାଏ କରାଯାଉଛି । ନିୟାମକ କର୍ତ୍ତୃପକ୍ଷ ନିର୍ଧାରଣ କରୁଥିବା ମାନଦଣ୍ଡ ପୂରଣକୁ ତାହା ନିଶ୍ଚିତ କରିଥାଏ ।