ନୂଆଦିଲ୍ଲୀ ୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତା ତଥା କାଲକାଜୀ ଆସନରୁ ପ୍ରାର୍ଥୀ ରମେଶ ବିଧୁଡୀଙ୍କ ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବୟାନ ପରଠାରୁ କଂଗ୍ରେସ ବିଧୁଡୀଙ୍କ ଉପରେ ଆକ୍ରମକ ହୋଇ ଉଠିଛି। ଏଥି ମଧ୍ୟରେ କଂଗ୍ରେସ ନେତା କହ୍ନେୟା କୁମାର ରମେଶ ବିଧୁଡୀଙ୍କ ବୟାନକୁ ନେଇ ଆପତ୍ତି କରିଥିବାବେଳେ ତାଙ୍କ ଉପରେ ବର୍ଷିଛନ୍ତି। ଏ ନେଇ କହ୍ନେୟା କୁମାର ତାଙ୍କ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।
ଏଥିରେ କହ୍ନେୟା କୁମାର ଉଲ୍ଲେଖ କରିଛନ୍ତି ଯେ ରମେଶ ବିଧୁଡୀ ସେଇଆ କହନ୍ତି ଯାହା ସେ ସଂଘର ଶାଖାରୁ ଶିଖିଛନ୍ତି। କେଉଁଠି ବି କୁହନ୍ତୁ ସଡ଼କ ହେଉ ବା ସଂସଦ ସେ କହିବେ ସେଇଆ ଯାହା ସଂଘର ସଂସ୍କାର ଓ ବିଚାର। ତାଙ୍କ ଭଳି ମାନସିକତାର ଲୋକେ ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ପଛୁଆ ଓ ଗରୀବ ବିରୋଧୀ ଯାହା ପ୍ରାୟତଃ ସେମାନଙ୍କ ମୁହଁରୁ ବାହାରିପଡିଥାଏ। ତାଙ୍କର ସଦବୁଦ୍ଧି ହେଉ ତାହା ହିଁ ମୁଁ କାମନା କରୁଛି।
रमेश बिधूड़ी वही बोलता है जो उसने संघ की शाखा में सीखा है। कहीं भी बोले, चाहे सड़क हो या संसद, बोलेगा वही जो शाखा का संस्कार और विचार है। इनके जैसों की मानसिकता महिला, दलित, आदिवासी, अल्पसंख्यक, पिछड़ा और ग़रीब विरोधी है जो अक्सर ज़ुबान पर आ जाती है।
— Kanhaiya Kumar (@kanhaiyakumar) January 5, 2025
इनके सदबुद्धि की कामना करता…
ଏଥିରେ କଂଗ୍ରେସର କାଲକାଜୀ ପ୍ରାର୍ଥୀ ଅଲକା ଲାମ୍ବା ବିରୋଧ ପ୍ରଦର୍ଶନ ମଧ୍ୟ କରିଛନ୍ତି। ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହିତ ରବିବାର କାଲକାଜୀ ଯାଇ ସେଠାରେ ରମେଶ ବିଧୁଡୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଅଲକା ଲାମ୍ବା କହିଛନ୍ତି ଯେ ରମେଶ ବିଧୁଡୀ ସାର୍ବଜନିକ କ୍ଷମାଯାଚନା କରନ୍ତୁ। କାଲାକାଜୀରେ ମୁଖ୍ୟମନ୍ତ୍ରୀ ଆତୀଶୀ, ଅଲକା ଲାମ୍ବା ଓ ବିଧୁଡୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେଉଛି। ରମେସ ବିଧୁଡି ଏକ ବୟାନରେ ସେ ଯଦି କାଲକାଜୀରୁ ନିର୍ବାଚିତ ହୁଅନ୍ତି ତେବେ ଅଞ୍ଚଳରେ ପ୍ରିୟଙ୍କା ଗାନ୍ଧିଙ୍କ ଗାଲ ଭଳି ମସୃଣ ସଡକ ତିଆରିଦେବେ ବୋଲି କହିଥିଲେ।
ତେବେ ତାଙ୍କ ବୟାନକୁ ନେଇ ବିବାଦ ବଢୁଥିବାର ଦେଖି ବିଧୁଡୀ ଏବେ ପଛଘୁଞ୍ଚା ଦେଇଛନ୍ତି। ସେ ତାଙ୍କ ଆଡୁ ବୟାନ ନିମନ୍ତେ କ୍ଷମାଯାଚନା କରିଛନ୍ତି। କହିଛନ୍ତି ମୋ ବୟାନ ଯୋଗୁ ଯଦି କାହାକୁ ଆଘାତ ଲାଗିଥାଏ ଏଥି ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। ତେବେ କଂଗ୍ରେସ ଏବେ ଘଟଣାକୁ ନେଇ ବିଜେପି ଉପରେ ଆକ୍ରମକ ହୋଇ ଉଠିଛି।