ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ୨୦ କୋଟି ଟଙ୍କାର କୋକେନ ଜବତ କରିଛି। ଏହା ସହ ଏହି ଡ୍ରଗ୍ସ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାଜିଲର ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଯାତ୍ରୀ ସାଓ ପାଓଲୋରୁ ପ୍ୟାରିସ ଦେଇ ଡିସେମ୍ବର ୨୪ରେ ଦିଲ୍ଲୀ ଆସିଥିଲେ।
କଷ୍ଟମ ବିଭାଗର ତଥ୍ୟ ଅନୁଯାୟୀ, ଯାଞ୍ଚ ସମୟରେ ଦୁଇ ଯାତ୍ରୀ ସ୍ବୀକାର କରିଛନ୍ତି ଯେ, ସେମାନେ ମାଦକ ପଦାର୍ଥ ଥିବା କ୍ୟାପସୁଲ ଖାଇଛନ୍ତି। ଏହା ପରେ ତାଙ୍କୁ ମେଡିକାଲ ପ୍ରକ୍ରିୟା ପାଇଁ ସଫଦରଗଞ୍ଜ ହସ୍ପିଟାଲ ନିଆଯାଇଥିଲା।
ହସ୍ପିଟାଲରେ ଅନେକ ଦିନ ପର୍ଯ୍ୟନ୍ତ ମେଡିକାଲ ପ୍ରକ୍ରିୟା ଚାଲିଥିଲା। ଏହି ସମୟରେ ପୁରୁଷ ଯାତ୍ରୀଙ୍କ ଠାରୁ ୧୦୫ଟି କ୍ୟାପସୁଲ କଢ଼ାଯାଇଥିଲା। ଯେଉଁଥିରେ ୯୩୭ ଗ୍ରାମ କୋକେନ ଜବତ ହୋଇଛି। ସେହିଭଳି ମହିଳା ଯାତ୍ରୀଙ୍କ ଠାରୁ ୫୮ କ୍ୟାପସୁଲ ମିଳିଥିଲା। ଯେଉଁଥିରେ ୫୬୨ ଗ୍ରାମ କୋକେନ ମିଳିଛି। କଷ୍ଟମ ବିଭାଗର ବିବୃତ୍ତି ଅନୁଯାୟୀ, ସମୁଦାୟ ୧ ହଜାର ୩୯୯ ଗ୍ରାମ କୋକେନ ଜବତ ହୋଇଛି। ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୨୦.୯୮ କୋଟି ଟଙ୍କା ହେବ।
କଷ୍ଟମ ବିଭାଗର କହିବା ଅନୁଯାୟୀ, ଅଧିକାରୀ ସାଓ ପାଓଲୋରୁ ଆସିଥିବା ଏହି ଯାତ୍ରୀଙ୍କ ଗତିବିଧି ଉପରେ ସନ୍ଦେହ କରି ଅଟକାଇଥଲେ। ପ୍ରାଥମିକ ଯାଞ୍ଚ ସମୟରେ ସନ୍ଦିଗ୍ଧ ଗତିବିଧି ଆଧାରରେ ମାଦକ ପଦାର୍ଥ ନେଉଥିବା ଆଶଙ୍କା ହୋଇଥିଲା।
କଷ୍ଟମ ବିଭାଗ ଉଭୟଙ୍କ ବିରୋଧରେ ନାର୍କେଟିକ୍ ଡ୍ରଗ୍ସ ଆଣ୍ଡ୍ ସାଇକୋଟ୍ରପିକ ସବଷ୍ଟାନ୍ସ (NDPS) ଆକ୍ଟ ଅନୁଯାୟୀ, ମାମଲା ରୁଜୁ କରିଛି। ମାମଲାର ଯାଞ୍ଚ ଜାରି ରହିଛି ଏବଂ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।