ପୁରୀ ୪।୨: ଶିକ୍ଷାର ମୂଳଦୂଆ ସଶକ୍ତ ହେଲେ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେବେ । ଆଉ ଏହି ମେଧାବୀ ଛାତ୍ରଛାତ୍ରୀ ମାନେ ବିକଶିତ ଓଡ଼ିଶା ଏବଂ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏଣୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ପାଇଁ ନୂଆ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ବେଳେ ଏଥିପାଇଁ ବଜେଟ୍ରେ ସ୍ବତନ୍ତ୍ର ଅର୍ଥ ବରାଦ କରାଯାଇଛି । ସ୍କୁଲ, କେଲଜ ଗୁଡ଼ିକର ଉନ୍ନତିକରଣ ପାଇଁ ଯାହା ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହା ପୂରଣ କରିବା ପାଇଁ ନୂଆ ସରକାର ବଦ୍ଧପରିକର । ପୁରୀରେ ସୁରଜ ମଲ ସାହା କଲେଜର ୪୫ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଏହି କଥା ରଖିଛନ୍ତି । ସ୍ବତନ୍ତ୍ର ଗୋଦାବରୀଶ ମିଶ୍ର ମଡ଼େଲ ସ୍କୁଲ ସ୍ଥାପନ କରାଯିବ । ସେଠାରେ ଉନ୍ନତ ଶିକ୍ଷା ଭିତ୍ତିଭୂମି ସହ ଶିକ୍ଷାଦାନ ମଧ୍ୟ କରାଯିବ । ଯାହା ଫଳରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅନ୍ୟ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଭଳି ଭଲ ଶିକ୍ଷା ଗ୍ରହଣ କରି ଭବିଷ୍ୟତରେ ଦେଶର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।
ଏହି ଉତ୍ସବରେ ଯୋଗ ଦେଇଥିବା ଅନ୍ୟତମ ଅତିଥି ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ସୁରଜ ମଲ ସାହା କଲେଜ ଭିତ୍ତିଭୂମିର ଉନ୍ନତି ପାଇଁ ଏକ କୋଟି ଟଙ୍କା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । କଲେଜର ଥିବା ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରାଯିବ । ରାଜ୍ୟର ପ୍ରତ୍ୟେକ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଅର୍ଥର ଅଭାବ ରହିବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ଓଡ଼ିଶାର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ୨ଶହ କୋଟି ଟଙ୍କାର କର୍ପସ ଫଣ୍ଡର ବ୍ୟବସ୍ଥା କରାଯାଇଛି । ଏହି ଅର୍ଥକୁ ବିନିଯୋଗ କରାଯାଇ ଓଡ଼ିଶାର ବିଭିନ୍ନ ଅଞ୍ଚଳର ନୃତ୍ୟ କଳା ସଂସ୍କୃତିକୁ ଅଧିକ ପ୍ରଚାର ପ୍ରସାର କରାଯିବ ।
ସେହିପରି ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବା ବ୍ୟକ୍ତି ମାନେ ଏଥିରୁ ନିବୃତ୍ତ ରହିବା ପାଇଁ ନିବେଦନ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ । ଯେଉଁ ପର୍ବପର୍ବାଣୀ ପାଳନ ହୋଇଥାଏ ସେହିଦିନର ସ୍ବତନ୍ତ୍ର ମହତ୍ବ ଥାଏ । ଏଣୁ ବିଦେଶରେ ଯେଉଁ ଅନୁଷ୍ଠାନ ମାନେ ଅଦିନିଆ ରଥଯାତ୍ରା ପାଳନ କରୁଛନ୍ତି ସେମାନେ ମହାପ୍ରଭୁଙ୍କ ପରମ୍ପରାକୁ ଅନୁସରଣ କରିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ସେହିପରି ପୁରୀ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମର ଉନ୍ନତୀକରଣ ପାଇଁ ମଧ୍ୟ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ମନ୍ତ୍ରୀ କହିଛନ୍ତି ।