କେନ୍ଦୁଝର ୧୪।୦୧ : ମଙ୍ଗଳବାରଠୁ ମୁଖ୍ୟମନ୍ତ୍ରୀଙ୍କ ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ମଙ୍ଗଳବାର ୯ଟା ୩୦ରେ ମୁଖ୍ୟମନ୍ତ୍ରୀ ବିମାନରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପ୍ରେ ଅବତରଣ କରିବେ । ସଡ଼କ ପଥରେ ରାଇସୁଆ ଠାରୁ ପାଟଣା ଯାଇ ମକର ବୁଡ଼ ପକାଇବେ। ସେଠାରେ କେତେକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବିଜେପି କର୍ମୀ ହରି ମହାନ୍ତଙ୍କ ବାସଭବନରେ ପହଞ୍ଚି କେତେକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ମଧ୍ୟାହ୍ନ ୧ଟାରେ କେନ୍ଦୁଝର ସର୍କିଟ୍ ହାଉସ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୪ଟାରେ ଝୁମ୍ପୁରା ଦେଇ ନିଜ ଗ୍ରାମ ରାଇକଳାକୁ ଗସ୍ତ କରିବେ। ସେଠାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସର୍କିଟ୍ ହାଉସରେ ରାତ୍ରୀଯାପନ କରିବେ।
ବୁଧବାର ଦିନ ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବେ। ଏହାପରେ ଅପରାହ୍ଣରେ ବଡ଼ବିଲ ଅଭିମୁଖେ ଯାତ୍ରା କରିବେ। ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏକ ପ୍ରାର୍ଥନା ହଲ୍କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ପରେ ବଡ଼ବିଲ ମହୋତ୍ସବର ରୌପ୍ୟଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ଓଏମ୍ସି ଅତିଥି ଭବନରେ କେତେକ କାର୍ଯ୍ୟର ସମୀକ୍ଷା କରିବା ପରେ କେନ୍ଦୁଝର ଅଭିମୁଖେ ସଡ଼କପଥରେ ଯାତ୍ରା କରିବେ ।
ଗୁରୁବାର ଝୁମ୍ପୁରା ବ୍ଲକ୍ର ବାଲିବନ୍ଧ ଗ୍ରାମର ମହେନ୍ଦ୍ର ପଟ୍ଟନାୟକଙ୍କ ମା’ଙ୍କ ଏକାଦଶାହରେ ଯୋଗଦେଇ ପୂର୍ବାହ୍ଣ ୧୦ଟା ୪୫ରେ ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ନିକଟକୁ ପହଞ୍ଚିଛି । ସୁରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥାର ଆୟୋଜନ କରାଯାଇଛି ।
ତ୍ରିବେଣୀ ସଂଗମରେ ଅମୃତ ସ୍ନାନ; ମହାକୁମ୍ଭରେ ଶ୍ରଦ୍ଧାର ବୁଡ଼ ପକାଇଲେ ୧୩ ଆଖଡ଼ା