ଭୁବନେଶ୍ୱର ୦୯।୦୬ : କେନ୍ଦ୍ରାପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ସମଗ୍ର ଜିଲ୍ଲାବାସୀ ତଥା ଦଳୀୟ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗସ୍ତକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଚାଲିଛି।
ରବିବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ବସି ଗସ୍ତ କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ସଂପର୍କରେ ଆଲୋଚନା ହୋଇଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ତାଙ୍କୁ ସେଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନିଆଯିବ । ମାଉସୀ ମା’ ମନ୍ଦିରଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ପରେ ଶ୍ରୀବଳଦେବଜିଉଙ୍କୁ ଦର୍ଶନ କରି ଜଜାଙ୍ଗ ସର୍କିଟ୍ ହାଉସ୍ଠାରେ ମାରାଥନ ସମୀକ୍ଷା ବୈଠକ କରିବେ ।