ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି

Published By : Prameya-News7 Bureau | September 02, 2024 IST

ଶ୍ରୀନଗର : ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ସୋମବାର ୬ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି। ଯେଉଁଥିରେ ଜମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ତାରିକ ହମିଦ କର୍ରାଙ୍କୁ ସେଣ୍ଟ୍ରାଲ ସାଲଟେଙ୍ଗ ସିଟ୍ ରୁ ପ୍ରାର୍ଥୀ କରାଯାଇଛି। ଏହି ସୂଚୀ କଂଗ୍ରେସର କେନ୍ଦ୍ରୀୟ କମିଟି ବୈଠକର ତୁରନ୍ତ ପରେ ଜାରି କରାଯାଇଛି, ଯେଉଁଥିରେ ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ନାମରେ ଚୂଡ଼ାନ୍ତ ମୋହର ବାଜିଛି। ପାର୍ଟି ଏଠାରେ ନ୍ୟାସନାଲ କନଫରେନ୍ସ ସହ ମେଣ୍ଟ କରି ନିର୍ବାଚନ ଲଢୁଛି। 

ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟଙ୍କ ବ୍ୟତୀତ ପାର୍ଟି ରିୟାସୀରୁ ମୁମତାଜ ଖାନ, ମାତା ବୈଷ୍ଣୋ ଦେବୀରୁ ଭୂପେନ୍ଦ୍ର ଜାମବାଲ, ରାଜୌରୀ (ଏସଟି)ରୁ ଇଫ୍ତିଖାର ଅହମଦ, ଥନ୍ନାମଣ୍ଡି (ଏସଟି)ରୁ ସବିର ଅହମଦ ଖାନ ଓ ସୁରନକୋଟ (ଏସଟି)ରୁ ମହମଦ ଶାହାନୱାଜ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି। ଏହି ନିର୍ବାଚନମଣ୍ଡଳି ମାନଙ୍କରେ ୩ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏଥି ପାଇଁ କଂଗ୍ରେସ ପାର୍ଟି ଏପର୍ଯ୍ୟନ୍ତ ୧୫ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। 

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଲ, କର୍ରା, ଜମ୍ମୁ-କାଶ୍ମୀର ସ୍କ୍ରିନିଂ କମିଟି ମୁଖ୍ୟ ସୁକଜିନ୍ଦର ସିଂହ ରନ୍ଧାବା, ସଲମାନ ଖୁର୍ସିଦଙ୍କ ସମେତ ଅନ୍ୟ ନେତା କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ଆସନ ବୁଝାମଣା ଫର୍ମୂଲାକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ସେମାନେ ଯଥାକ୍ରମେ ୫୧: ୩୨ସିଟରେ ନିର୍ବାଚନ ଲଢିବେ। ସିପିଏମ ଓ ଜମ୍ମୁ-କାଶ୍ମୀର ନ୍ୟାସନାଲ ପାନ୍ଥର୍ସ ପାର୍ଟି ଗୋଟିଏ ଲେଖାଏଁ ସିଟ୍ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.