ପୁରୀ ୦୨।୦୮ : ପୁରୀ ବଳିଆପଣ୍ଡା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର। ବଳିଆପଣ୍ଡା ଥାନା ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତକ ହେଉଛନ୍ତି ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରାମଚଣ୍ଡୀ ବାଲିକୁଦା ବସ୍ତିର ଲୋକନାଥ ମୁଦୁଲି।
ଖବର ଅନୁଯାୟୀ, ଶୁକ୍ରବାର ବଳିଆପଣ୍ଡା ସମୁଦ୍ରରେ ଏକ ମୃତଦେହ ଭାସୁଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା। ବଳିଆପଣ୍ଡା ଥାନା ପୋଲିସ ସମୁଦ୍ର କୂଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ମୃତକଙ୍କ ମାଆ ହତ୍ୟା ଅଭିଯୋଗ ଆଣିଛନ୍ତି। ଶ୍ବଶୁର ଘର ଲୋକେ ତାଙ୍କ ପୁଅକୁ ହତ୍ୟା କରି ସମୁଦ୍ରରେ ଫିଙ୍ଗି ଦେଇଥିବା ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି। ସେପଟେ ଘଟଣାର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।