ସୋସିଆଲ୍ ମିଡିଆ କମ୍ପାନିଙ୍କୁ ୭ ଦିନ ସମୟ...ଡିପ୍‌ଫେକ୍ ଭିଡିଓକୁ ନେଇ କଠୋର ସରକାର

Published By : Prameya-News7 Bureau | November 24, 2023 IST

ନୂଆଦିଲ୍ଲୀ: ଡିପଫେକ୍ ଦ୍ୱାରା ପୀଡିତ ବ୍ୟକ୍ତିଙ୍କୁ ନିୟମ ଉଲ୍ଲଂଘନ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ ମାମଲା ରୁଜୁ କରାଇବାରେ ସରକାର ସହଯୋଗ କରିବେ । କେନ୍ଦ୍ର ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଆଇଟି ନିୟମ ଅନୁସାରେ ୟୁଜର୍ସଙ୍କ ପାଇଁ ସର୍ତ୍ତ ସ୍ଥିର କରିବା ଲାଗି ସାତ ଦିନ ସମୟ ଦିଆଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ସହ ବୈଠକ ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ଆଇଟି ମନ୍ତ୍ରାଳୟ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବ, ଯେଉଁଥିରେ ୟୁଜର୍ସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଦ୍ୱାରା ଆଇଟି ନିୟମ ଉଲ୍ଲଂଘନ ବାବଦରେ ସୂଚିତ କରାଇବେ'। ମନ୍ତ୍ରୀ କହିଛନ୍ତି, ‘ମନ୍ତ୍ରାଳୟ ୟୁଜର୍ସଙ୍କୁ ଆଇଟି ନିୟମର ଉଲ୍ଲଂଘନ ବାବଦରେ ସହଜରେ ସୂଚିତ କରିବା ଓ ଏଫଆଇଆର ରୁଜୁ କରିବାରେ ସହଯୋଗ କରିବ’ ।

ପଢନ୍ତୁ: ଗଣତନ୍ତ୍ର ପାଇଁ ବିପଦ ଡିପ୍‌ଫେକ୍, ସରକାର ଆଣିବେ ନୂଆ ନିୟମ: ଅଶ୍ବିନୀ ବୈଷ୍ଣବ

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, 'ଆଜିର ସମୟରେ ଆଇଟି ନିୟମର ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ଆଇଟି ନିୟମ ଅନୁସାରେ ପରିବର୍ତ୍ତନ ଆଣିବା ପାଇଁ ସାତ ଦିନ ସମୟ ଦିଆଯାଇଛି । ଏହାସହ ଏପରି ସାମଗ୍ରୀର ତଦନ୍ତ ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯିବ । ଡିପଫେକ୍ କଣ୍ଟେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ଅଧିକାରୀ ନିଯୁକ୍ତ କରାଯିବ'।

ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଡିଜିଟାଲ କ୍ଷେତ୍ରରେ ଭାରତୀୟଙ୍କ ସୁରକ୍ଷା ଓ ବିଶ୍ୱାସକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଟେ । ଡିପଫେକ୍ ନିର୍ମାଣ ଓ ପ୍ରସାର ଉପରେ ୧ ଲକ୍ଷ ଟଙ୍କା ଜରିମାନା ଓ ତିନି ବର୍ଷ ଯାଏ ଜେଲ ଦଣ୍ଡ ପ୍ରାବଧାନ ରହିଛି ।

Also Read: AIର ବ୍ୟବହାର ‘ଡିପ୍‌ଫେକ୍‌’ ପାଇଁ କରାଯିବା ଚିନ୍ତାଜନକ ବିଷୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.