ଆସିବ ନୂଆ ନୀତି, ଦିଲ୍ଲୀରେ ଜବତ ହେବନି ପୁରୁଣା ଗାଡି, ବିବାଦ ପରେ ନୂଆ ନିଷ୍ପତ୍ତି

Published By : Prameya-News7 Bureau | July 04, 2025 IST

ନୂଆଦିଲ୍ଲୀ ୦୩/୦୭ : ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ଦିଆ ନଯିବା ଓ ତାକୁ ଜବତ କରାଯିବା ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ଦିଲ୍ଲୀ ସରକାର ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି । କହିଛନ୍ତି ବର୍ତ୍ତମାନ ପାଇଁ କୌଣସି ପୁରୁଣା ଗାଡିକୁ ଜବତ କରାଯିବ ନାହିଁ । 

ପୁରୁଣା ଗାଡି ପାଇଁ ସରକାର ଏକ ନୂଆ ନୀତି ଆଣିବେ ବୋଲି ଆଜି ସୂଚନା ଦେଇଛନ୍ତି ଦିଲ୍ଲୀର ପରିବେଶ ମନ୍ତ୍ରୀ ମନ୍‌ଜିନ୍ଦର ସିଂହ ସିର୍‌ସା । ସେ କହିଛନ୍ତି ଦିଲ୍ଲୀର ପରିବେଶକୁ କ୍ଷତି ପହଞ୍ଚାଇବାକୁ ଦିଆଯିବ ନାହିଁ କିମ୍ବା ଲୋକଙ୍କ ପୁରୁଣା ଗାଡିକୁ ଜବତ କରିବାକୁ ଅନୁମତି ଦିଆଯିବ ନାହିଁ । ଏଥିପୂର୍ବରୁ ପରିବେଶ ମନ୍ତ୍ରୀ ଦିଲ୍ଲୀର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନଙ୍କୁ ଚିଠି ଲେଖିଥିଲେ । ସେଥିରେ ପୁରୁଣା ଗାଡି ଜବତ ସଂକ୍ରାନ୍ତ ଅଦେଶନାମା ନଂ-୮୯କୁ ତତ୍କାଳ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । 

ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ଯେପର୍ଯ୍ୟନ୍ତ ଅଟୋମେଟିକ ନମ୍ବର ପ୍ଲେଟ ରିକଗ୍‌ନିସନ (ଏଏନ୍‌ପିଆର) ବ୍ୟବସ୍ଥା ଲାଗୁ ନ ହୋଇଛି ସେପର୍ଯ୍ୟନ୍ତ ଉକ୍ତ ଆଦେଶ ସ୍ଥଗିତ ରଖିବାକୁ ଚିଠିରେ ଦର୍ଶାଯାଇଥିଲା । ଆଦେଶ ନଂ-୮୯ ଅନୁସାରେ ଦିଲ୍ଲୀରେ ୧୫ ବର୍ଷରୁ ଅଧିକ ପେଟ୍ରୋଲ ଓ ୧୦ବର୍ଷରୁ ଅଧିକ ଡିଜେଲ ଗାଡିକୁ ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ କୁହାଯାଇଥିଲା । ସେହିଭଳି ଏଏନ୍‌ପିଆର ଦ୍ୱାରା ପୁରୁଣା ଗାଡି ଚିହ୍ନଟ କରାଯାଇ ତାକୁ ଜବତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

ଯାହାକୁ ନେଇ ପୁରୁଣା ଗାଡି ମାଲିକଙ୍କ ଚିନ୍ତା ବଢ଼ିଯାଇଥିଲା । ଏଭଳି ଆଦେଶକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଚିଠିରେ ଆହୁରି ମଧ୍ୟ କୁହାଯାଇଛି କି ଏଏନ୍‌ପିଆର ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ରହିଛି । କ୍ୟାମେରା ପ୍ଲେସମେଣ୍ଟ, ଡାଟା ଇଣ୍ଟିଗ୍ରେସନ ଓ ପଡୋଶୀ ରାଜ୍ୟ ସହିତ ସମନ୍ୱୟର ଅଭାବ ଭଳି ସମସ୍ୟା ରହିଛି । ଦିଲ୍ଲୀରେ ଏହି ନିୟମ ଲାଗୁ କରାଗଲେ ଲୋକମାନେ ଗୁରୁଗ୍ରାମ ଓ ନୋଏଡା ଭଳି ଅଞ୍ଚଳକୁ ଯାଇ ଗାଡିରେ ଇନ୍ଧନ ପକାଇବେ । ଫଳରେ ଅବୈଧ ଇନ୍ଧନ କାରବାର ବୃଦ୍ଧି ପାଇବ । 

ଦିଲ୍ଲୀ ସାଂସଦ ପରଭେଶ ବର୍ମା ମଧ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସମାଲୋଚନା କରିଥିଲେ । କହିଥିଲେ କୌଣସି ଯାନବାହନକୁ ବୟସ ନୁହେଁ, ବରଂ ତାର ପ୍ରଦୂଷଣ ମାତ୍ରାକୁ ଦେଖି ନିଷିଦ୍ଧ କରାଯିବା ଉଚିତ । ସେହିଭଳି ପେଟ୍ରୋଲ ପମ୍ପ ଆସୋସିଏସନ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ହାଇକୋର୍ଟ ଏହା ଉପରେ ଦିଲ୍ଲୀ ସରକାରଙ୍କୁ ଜବାବ ଦାଖଲ କରିବା ଲାଗି ନୋଟିସ ମଧ୍ୟ ଜାରି କରିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.