ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାରୀ ଘରର ହେବନି ରିନୋଭେସନ୍, ରଦ୍ଦ ହେଲା ୬୦ ଲକ୍ଷର ଟେଣ୍ଡର

Published By : Prameya-News7 Bureau | July 09, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପବ୍ଲିକ୍ ୱାର୍କସ୍ ବିଭାଗ (PWD) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାରୀ ବାସଭବନର ରିନୋଭେସନ ପାଇଁ ଜାରି କରିଥିବା ୬୦ ଲକ୍ଷ ଟଙ୍କାର ଟେଣ୍ଡରକୁ ବାତିଲ କରିଦେଇଛି । ବିଭାଗ ଦ୍ୱାରା ଜୁଲାଇ ୭ରେ ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଏହି ନିଷ୍ପତ୍ତି ବାବଦରେ ଅବଗତ କରାଯାଇଛି ।

ଏହି ଟେଣ୍ଡର୍ ଜୁଲାଇ ୪ରେ ଖୋଲିବାର ଥିଲା, କିନ୍ତୁ ପ୍ରଶାସନିକ କାରଣ ଦର୍ଶାଇ ଟେଣ୍ଡରକୁ ବାତିଲ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସରେ ଇଲେକ୍ଟ୍ରିକ୍ ଫିଟିଂ ଏବଂ ଅନ୍ୟାନ୍ୟ ବୈଷୟିକ କାର୍ଯ୍ୟ କରାଯିବାର ଯୋଜନା ଥିଲା । ଏଥିପାଇଁ ୬୦ ଲକ୍ଷ ଟଙ୍କାର ଟେଣ୍ଡର ଜାରି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଚଳିତ ବର୍ଷ ଫେବ୍ରୁଆରୀରେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କୁ ଜୁନ୍ ମାସରେ ରାଜ ନିବାସ ମାର୍ଗରେ ଅବସ୍ଥିତ ବଙ୍ଗଳା ନମ୍ବର ୧ ଆବଣ୍ଟିତ କରାଯାଇଥିଲା । ଏହି ବଙ୍ଗଳା ଟାଇପ୍-୭ ବର୍ଗର ।

ବିରୋଧୀ ଦଳଗୁଡ଼ିକ ଏହି ଖର୍ଚ୍ଚର ତୀବ୍ର ସମାଲୋଚନା କରିଥିଲେ । ଟେଣ୍ଡର ଜାରି ହେବା ପରେ, ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ବିଜେପି ସରକାରଙ୍କୁ 'ମାୟା ମହଲ' ଏବଂ 'ରଙ୍ଗ ମହଲ' ନିର୍ମାଣ କରିବାର ଅଭିଯୋଗ କରିଥିଲେ । ଏବଂ ଏହାକୁ ଲୋକଙ୍କ ଟଙ୍କାର ଅପଚୟ ବୋଲି କହିଥିଲେ । ଅନ୍ୟପଟେ କିନ୍ତୁ ବିଜେପି ଏହି ଅଭିଯୋଗଗୁଡ଼ିକୁ ଭିତ୍ତିହୀନ କହି କହିଥିଲା, ଏହି କାମ କୌଣସି ବିଳାସପୂର୍ଣ୍ଣ କାର୍ଯ୍ୟ ପାଇଁ ନୁହେଁ, ବରଂ ସରକାରୀ ପ୍ରକ୍ରିୟାର ଏକ ନିୟମିତ ଅଂଶ ଏବଂ ଏଥିରେ କିଛି ବି ଅସ୍ୱାଭାବିକ ନାହିଁ । 

ଦିଲ୍ଲୀ ପୂର୍ତ୍ତ ବିଭାଗ ପକ୍ଷରୁ ଜୁଲାଇ ୧ରେ ଜାରି କରାଯାଇଥିବା ଟେଣ୍ଡର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାରୀ ବଙ୍ଗଳାର ନବୀକରଣ ପ୍ରଥମ ପର୍ଯ୍ୟାୟ ଜୁଲାଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବାର ଥିଲା । ପ୍ରସ୍ତାବରେ ୮୦ଟି ଲାଇଟ୍ ଏବଂ ଫ୍ୟାନ୍ ପଏଣ୍ଟର ସମ୍ପୂର୍ଣ୍ଣ ତାର ସଂଯୋଗ, ଦୁଇ ଟନ୍ ବିଶିଷ୍ଟ ୨୪ଟି ଏୟାର କଣ୍ଡିସନର (ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ), ୨୩ଟି ପ୍ରିମିୟମ୍ ଶକ୍ତି-ଦକ୍ଷ ସିଲିଂ ଫ୍ୟାନ୍ ଏବଂ ୧୬ଟି କାନ୍ଥ ଫ୍ୟାନ ଲଗାଯିବାର ଥିଲା ।   

ଏହା ବ୍ୟତୀତ ଆଲୋକୀକରଣ ପାଇଁ ୬.୦୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ଏହା ବ୍ୟତୀତ ୧୬ଟି ନିକେଲ-ଫିନିସ୍ ଫ୍ଲସ୍ ସିଲିଂ ଲାଇଟ୍, ଛାତରୁ ଝୁଲାଇବା ପାଇଁ ୭ଟି ପିତଳ ଲଣ୍ଠନ, ସାଧାରଣ ହଲ୍ ପାଇଁ ୮ଟି ପିତଳ ଲାଇଟ୍, କାଚ କାନ୍ଥରେ ଲାଇଟ୍ ଏବଂ ୫ଟି ଟେଲିଭିଜନ ସେଟ୍ କିଣିିବା ପାଇଁ ଯୋଜନା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.