କୋଣାର୍କ ୨୭।୭: ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୯ ଦିନ ପୁରିଥିବା ବେଳେ ଏବେବି ପୋଲିସର ହାତ ଖାଲି । ଘଟଣାକୁ ନେଇ ପୁଣି ମୁହିଁ ଖୋଲିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ପାଖରେ ଥିବା ପରିବାର ଲୋକଙ୍କ ସହିତ ସେ କଥାବାର୍ତ୍ତା ହେଉଛନ୍ତି । ପୀଡ଼ିତାଙ୍କ ସ୍କ୍ରିନ୍ ଡ୍ରାଫ୍ଟିଂ ସରିଛି । ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ପୋଲିସ ହାତ ଖାଲିଥିବା କଥାକୁ ନେଇ କହିଲେ ପୋଲିସ ତା କାମ କରିବ ଆଉ ଆଇନ ତା ବାଟରେ ଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ ବଳଙ୍ଗା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଭୁବନେଶ୍ବର ଏମ୍ସ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନରେ ରହୁଛି ଫରକ । ପୀଡ଼ିତାଙ୍କ ବୟାନକୁ ନେଇ ଅଡ଼ୁଆରେ ପୋଲିସ । ପୁଣି ଥରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ରେକର୍ଡ଼ ହେବ ବଳଙ୍ଗା ପୀଡ଼ିତାଙ୍କ ବୟାନ । ଶୁକ୍ରବାର ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିଲା ପୋଲିସ । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ହିଁ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ତେବେ ପୂର୍ବରୁ ପୀଡ଼ିତା ଜଣକ ଭୁବନେଶ୍ବର ଏମ୍ସରେ ଦେଇଥିବା ବୟାନ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନ ଭିତରେ ଅନେକ କିଛି ଫରକ ଆସୁଥିବା କୁହାଯାଉଛି । ଏମିତିରେ ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବାକୁ ହୋଇଛି ଯୋଜନା । ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୯ ଦିନ ହେଲାଣି । ତଥାପି ପୋଲିସ ଘଟଣା ପଛର ରହସ୍ୟକୁ ଉନ୍ମୋଚନ କରିପାରିନି । ଶନିବାର ପୁଣି ବଳଙ୍ଗା ଥାନାରେ ପହଞ୍ଚିଥିଲେ ପୁରୀ ଏସ୍ପି ପିନାକ ମିଶ୍ର । ଦୀର୍ଘ ଅଢ଼େଇ ଘଣ୍ଟା କାଳ ଛାନଭିନ ପରେ ପୁରୀ ଏସ୍ପି କହିଥିଲେ ଯେ, ବଳଙ୍ଗା ଘଟଣାର ତଦନ୍ତ ଜାରି ରଖିଛି ସ୍ପେଶାଲ ଟିମ୍ । ତଦନ୍ତ ପାଇଁ ସମୟ ଲାଗୁଛି । ଘଟଣାରେ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି । ତଦନ୍ତରେ କୌଣସି ଖିଅ ଛଡ଼ା ଯିବନାହିଁ । ଠିକ୍ ଢ଼ଙ୍ଗରେ ତଦନ୍ତ ଚାଲିଛି । ପୋଲିସ ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ଲାଗିଛି ବୋଲି ପୁରୀ ଏସ୍ପି କହିଥିଲେ ।
You Can Read:
ହାର୍ଡକୋର ମାଓ ଦମ୍ପତିଙ୍କ ଆତ୍ମସମର୍ପଣ, ଭୟଭୀତ ହୋଇ ସଂଗଠନ ଛାଡିଥିବା ସ୍ବୀକାର କଲେ