ନୂଆଦିଲ୍ଲୀ: ଫେରିଲା ଟିମ୍ ଇଣ୍ଡିଆର ସ୍ପନସର ଡ୍ରିମ ଇଲେଭେନ। ଏଥର ନୂଆ ରୂପରେ। ଅନଲାଇନ୍ ମନି ଗେମିଂ ଉପରେ ପ୍ରତିବନ୍ଧକ ଲାଗିବା ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକ ଥିବା ଡ୍ରିମ୧୧ର ମୂଳ କମ୍ପାନୀ ଡ୍ରିମ ସ୍ପୋର୍ଟସ୍ ଆଜି (୨୩ ଅଗଷ୍ଟ) ଏକ ନୂଆ ପର୍ସନାଲ ଫାଇନାନ୍ସ ଆପ୍ ଲଞ୍ଚ କରିଛି। ଏହି ଡ୍ରିମ ମନି ଆପ୍ ଆର୍ଥିକ ପରିଚାଳନା(ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ) ପାଇଁ କାମ କରିବ।
ଏହି ଆପ୍ ଫିକ୍ସଡ ଡିପୋଜିଟ ବା ସ୍ଥାୟୀ ଜମା (FD) ଏବଂ ଡିଜିଟାଲ୍ ଗୋଲ୍ଡ ନିବେଶ କରିବାରେ ଗ୍ରାହକଙ୍କୁ ସାହାଯ୍ୟ କରିବ। ଏଥିସହିତ, ଏହା ଦୈନିକ ଖର୍ଚ୍ଚର ହିସାବ ରଖିବା ସହିତ ନିବେଶକୁ ଟ୍ରାକ୍ କରିବାରେ ମଧ୍ୟ ସାହାଯ୍ୟ କରିବ। ଏହି ଆପ୍ ବର୍ତ୍ତମାନ ବିଟା ଭର୍ଜନ ଟେଷ୍ଟିଂରେ ରହିଛି। ଏହା Google Play Store ଏବଂ Apple App Store ରେ ଲିମିଟେଡ୍ ୟୁଜରଙ୍କ ପାଇଁ ଉପଲବ୍ଧ ରହିଛି। ଅନଲାଇନ୍ ଗେମିଂ ବିଲ୍ ୨୦୨୫ ଆଇନ ହେବା ପରେ ଭାରତର ସର୍ବବୃହତ ଫ୍ୟାଣ୍ଟାସି ଗେମିଂ କମ୍ପାନୀ ଏହି ପଦକ୍ଷେପ ନେଇଛି।
ଏହି ଆଇନ ଅନୁଯାୟୀ, ଅନଲାଇନ୍ ରିଅଲ୍ ମନି ଗେମ୍ସକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି କାରଣରୁ, ଭାରତର ସବୁଠାରୁ ବଡ଼ ଫ୍ୟାଣ୍ଟାସି ଗେମିଂ ପ୍ଲାଟଫର୍ମ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ପ୍ରାୟୋଜକତା ଛାଡିବାକୁ ବାଧ୍ୟ ହୋଇଛି। ଡ୍ରିମ-୧୧ କମ୍ପାନୀ ରିୟଲ ମନି ଗେମିଂ ବିଜନେଶକୁ ବନ୍ଦ କରିଦେଇଛି।