‘ଏକ୍ ପେଡ୍ ମା’ କେ ନାମ୍.... ଗୁରୁବାରଠୁ ନୂଆ ଅଭିଯାନର ଶୁଭାରମ୍ଭ ନେଇ ଭିଡିଓ ବାର୍ତ୍ତା

Published By : Prameya-News7 Bureau | June 04, 2025 IST

ଭୁବନେଶ୍ୱର ୦୪/୦୬: ଗୁରୁବାରଠୁ ମା’ଙ୍କ ନାରେ ଗୋଟିଏ ଗଛ ୨.୦ ଅଭିଯାନ । ଜୁନ୍‌ ୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।  ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଛ ଲଗାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା । ଚଳିତବର୍ଷ ଏହି ବୃହତ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ“ ମା'ଙ୍କ ନାମରେ ଗୋଟିଏ ଗଛ ୨.୦ ରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏଥର ୧୦ କୋଟି ଗଛ ଲଗାଇବା ପାଇଁ ଦେଶବାସୀ ବିଶେଷ ଭାବରେ ଛାତ୍ରଛାତ୍ରୀମାନଙ୍କୁ ଭିଡିଓ ମେସେଜ୍ ଜରିଆରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ , ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ । ସେହି ଗଛକୁ ବଡ଼ ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କୁହନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ “ଏକ୍ ପେଡ୍ ମା’ କେ ନାମ୍” ଏକ ଭାବନାତ୍ମକ ବିଚାର । ଭାରତ ସରକାର ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ଏହାକୁ ଆରମ୍ଭ କରିଥିଲେ ।  ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା କରିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଗଛ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଦେଶବାସୀଙ୍କ ସଫଳ ପ୍ରଚେଷ୍ଟା ଯୋଗୁଁ “ମା’ଙ୍କ ନାମରେ ଗୋଟିଏ ଗଛ” ଏକ ବଡ ଅଭିଯାନରେ ପରିଣତ ହୋଇଛି । 

ଏହି ଅଭିଯାନ ଅଧୀନରେ ସମଗ୍ର ଭାରତବର୍ଷରେ ସାଢେ ୫ କୋଟିରୁ ଅଧିକ ଗଛ ଲଗାଯାଇଛି । ଏହା କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଏକ ନିଚ୍ଛକ ପ୍ରମାଣ ।  ଏହା ମାଟି ମାଆ ପ୍ରତି ଆମର ପ୍ରେମ ଏବଂ ନିବିଡ଼ତାର ପ୍ରତୀକ । ଛତିଶଗଡ଼ରେ ଶିଶୁ ଏବଂ ମାଆ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ସିଡ୍ ବଲ୍, ତ୍ରିପୁରାରେ ଗଛ ଲଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ରାଜସ୍ଥାନରେ ୧.୫ କୋଟିର ଚାରାରୋପଣ ଏହି ଅଭିଯାନକୁ ନୂଆ ପରିଚୟ ଦେଇଛି । ଓଡ଼ିଶା ପ୍ରଦେଶ ସମେତ ସମଗ୍ର ଦେଶବାସୀଙ୍କ ପ୍ରଚେଷ୍ଟା ଏହି ରାଷ୍ଟ୍ରୀୟ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିଛି ।  

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଅଭିଯାନ କେବଳ ଏକ ପରିସଂଖ୍ୟାନରେ ସୀମିତ ନୁହେଁ ବରଂ ପ୍ରକୃତି ପ୍ରତି ଥିବା ଆମର ସ୍ନେହ ଏବଂ ଦାୟିତ୍ୱବୋଧତାର ସ୍ୱରୂପ ଅଟେ । ଏହି ଅଭିଯାନ ଏପରି ଏକ ଭବିଷ୍ୟତ ପ୍ରତି ସମର୍ପଣ, ଯେଉଁଠି ପ୍ରକୃତିର ସମ୍ମାନ ; ଆମର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହେବ । ସାରା ବିଶ୍ୱରେ ସ୍ଥାୟୀ ବିକାଶର ପ୍ରୟାସକୁ ମାର୍ଗଦର୍ଶନ କରୁଥିବା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନୁସାରେ – ଜଳବାୟୁ ସଂକଟର ସମାଧାନ କେବଳ ନୂଆ ପଦ୍ଧତିରେ ନୁହେଁ ବରଂ ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦ୍ୱାରା ସମ୍ଭବ ହେବ ।

ଏହି ଚିନ୍ତାଧାରାକୁ ଆଗକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଲାଇଫ୍’ର ଶୁଭାରମ୍ଭ କରିଛନ୍ତି । ମହାତ୍ମା ଗାନ୍ଧୀ ଥରେ ଅତ୍ୟନ୍ତ ପ୍ରେରଣାଦାୟୀ କଥା କହିଥିଲେ । ସେ କହିଥିଲେ “ତୁମେ ସେହିପରି ଭାବରେ ନିଜକୁ ପରିବର୍ତ୍ତନ କର, ଯେଉଁ ପରିବର୍ତ୍ତନ ତୁମେ ଦୁନିଆରେ ଦେଖିବାକୁ ଚାହୁଁଛ । ଏହା ଅତ୍ୟନ୍ତ ଖୁସି ଏବଂ ଗର୍ବର ବିଷୟ, ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଦାୟିତ୍ୱବାନ ଏବଂ ସମ୍ବେଦନଶୀଳତା ସହ ଏହି ପରିବର୍ତ୍ତନର ଜଣେ ଜଣେ ଉତ୍ତମ ନାୟକ ହେଉଛନ୍ତି । ଏହାର ପ୍ରମାଣ ହେଉଛି, ୨୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୫୦ ଲକ୍ଷରୁ ଅଧିକ ଗଛ ପାଇଁ କ୍ୟୁଆର୍ କୋଡ୍ ତିଆରି କରିଛନ୍ତି । ଏହା ହିଁ ଭାରତର ବିଶାଳ ପରିବେଶ ଜ୍ଞାନକୁ ଡିଜିଟାଲ୍ ଏବଂ ସୁଲଭ କରିଛି ।  

ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ । ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ । ସେହି ଗଛକୁ ବଡ ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କୁହନ୍ତୁ । ଆମେ  ଲଗାଉଥିବା ପ୍ରତିଟି ଚାରା ଏକ ବାର୍ତ୍ତା ବହନ କରେ ଯେ, ଆମେ ପ୍ରକୃତିର ଚିନ୍ତା କରୁ ଏବଂ ତା’ର ସୁରକ୍ଷା ପାଇଁ ମଧ୍ୟ ବେଶ୍ ଯତ୍ନବାନ ଅଛୁ । 

ଯେତେବେଳେ ଜନୈକ ବ୍ୟକ୍ତି ଗୋଟିଏ ଗଛ ଲଗାଉଛନ୍ତି, ସେତେବେଳେ ଏକ ଆଶାର ସଂଚାର ସୃଷ୍ଟି ହେଉଛି ଏବଂ ଏହି ଆଶାର ସଂଚାର ଆସନ୍ତାକାଲି ଏକ ସବୁଜ ଆନ୍ଦୋଳନର ସୂତ୍ରପାତ କରିବ,  ଏହା ମୋର ପୂର୍ଣ୍ଣ ବିଶ୍ୱାସ ।  ମାଟି ମାଆର ସୁରକ୍ଷା ପାଇଁ  ସବୁଠୁ ବଡ଼ ଜନ ଆନ୍ଦୋଳନ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.