ଅନଲାଇନ୍ ମନି ଗେମ୍ ଆପ୍ ଜରିଆରେ ୨୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ : କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ହାତରେ ତଦନ୍ତ ଭାର

Published By : Prameya-News7 Bureau | August 24, 2025 IST

ଜଗତସିଂହପୁର ୨୪।୮: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଦଶବାଟିଆ ଅଞ୍ଚଳରୁ ବହୁ ବ୍ୟକ୍ତିଙ୍କୁ ହିୟୁଜ ଇଣ୍ଡିଆ ଅନଲାଇନ ମନି ଗେମ୍ ଆପ୍ ଜରିଆରେ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହେବା ଘଟଣାର ତଦନ୍ତ ଭାର  ଇଓଡବ୍ଲୁ ବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ହାତକୁ ଯାଇଛି । ଏହି ଠକେଇ ନେଇ ଖବର ପ୍ରସାରଣ ହେବା ସହ ସ୍ଥାନୀୟ ଅନନ୍ତପୁର ଫାଣ୍ଡିରେ ଠକେଇର ଶିକାର ହୋଇଥିବା ଲୋକମାନେ ଏତଲା ଦେବା ପରେ ତନାଘନା ଆରମ୍ଭ ହୋଇଛି । 

ଗତ ୮ ମାସ ମଧ୍ୟରେ ପ୍ରାୟ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରାଯାଇଥିବା ବେଳେ ୪ ହଜାରରୁ ଉର୍ଦ୍ଧ୍ବ ଯୁବକ-ଯୁବତୀ ଅବସରପ୍ରାପ୍ତ କର୍ମଚାରୀ, ଶ୍ରମିକ ଓ ମହିଳା ମାନେ ଏହି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଅଞ୍ଚଳରେ ପ୍ରାୟ ୮ ମାସ ହେବ ଚାଲିଥିବା ଏହି ଅନଲାଇନ   ମନି ଗେମ୍ ଆପ୍ ଗତ ୨୦ ତାରିଖ  ଦିନ ହଠାତ ବନ୍ଦ ହୋଇଯିବା ପରେ ଏଥିରେ ଟଙ୍କା ଲଗାଇଥିବା ସ୍ଥାନୀୟ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ବୁଡି ଯାଇଛି । ଅନଲାଇନ ମନି ଗେମ୍ ଆପ୍‌ରେ ଚାଲିଥିବା ଟଙ୍କା ଲଗାଣ ଖେଳକୁ ବ୍ୟାନ୍ କରିବା ପାଇଁ କେନ୍ଦ୍ର ସରକାର    ଘୋଷଣା କରିବା ମାତ୍ରେ ଲୋକଙ୍କୁ ଚୁନ ଲଗାଇ ଛୁ ମାରିଛନ୍ତି ଅନେକ ଅନଲାଇନ ଆପ୍ ସଂସ୍ଥା । 

ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ୨୦୨୪ ନଭେମ୍ବର ମାସରେ  ହିୟୁଜ ଆପ୍ ନାମକ ଏକ ଅନଲାଇନ ଆପ୍ ଆରମ୍ଭ ହୋଇଥିଲା । ଏଥିରେ ଅନେକ ଗୁଡିଏ ଲୋଭନୀୟ ଅଫର ଦିଆଯାଇଥିଲା । ୫,୫୦୦ ଟଙ୍କା ନିବେଶ କରି ପ୍ରତ୍ୟକ ଦିନ ୨୦୦ ଟଙ୍କା ଆୟ ୧୬,୫୦୦ ଟଙ୍କା ନିବେଶ କରି ପ୍ରତ୍ୟକ ଦିନ କିଛି କମ୍ପାନୀର ଵିବିଜ୍ଞାପନକୁ ଫାଇଲ ଷ୍ଟାର ରେଟିଙ୍ଗ ଦେଇ ୬୧୫ ଟଙ୍କା ଆୟ ଭଳି ଅଫର ଦିଆଯାଇଥିଲା । ଏହି ସଂସ୍ଥାରେ କିଛି ଯୁବକ ଓ ଗ୍ରାମୀଣ ମହିଳା ନିବେଶ କରିବା ପରେ ନିବେଶକଙ୍କୁ  ଆକୃଷ୍ଟ କରିବା ପାଇଁ ନିଜ ଅଧୀନରେ ୧୨ ଜଣଙ୍କୁ ଏହି ଆପ୍‌ରେ ସାମିଲ କରାଇଲେ ମାସିକ ୧୦ ହଜାର ଟଙ୍କା ଓ ୨୦ ଜଣଙ୍କୁ ସାମିଲ କରାଇଲେ ୧୫ ହଜାର ଟଙ୍କା ଦରମା ଦେବା ପାଇଁ ମଧ୍ୟ ଲୋଭ ଦେଖାଯାଇଥିଲା । ଏହିପରି ଅନେକ ଲୋଭନୀୟ ଅଫର ଦେଖାଇଥିଲା ଏହି ଅନଲାଇନ ସଂସ୍ଥା । 

ଲୋକଙ୍କୁ ଆକର୍ଷିତ କରିବା ପାଇଁ କିଛି ଲୋକଙ୍କୁ କୁଲର ଓ ଫ୍ରିଜ୍ ଆଦି ଆକର୍ଷଣୀୟ ଉପହାର ମଧ୍ୟ ଦେଇଥିଲା । ଲୋଭରେ ପଡି ଲୋକେ ଧାରକରଜ କରି ଟଙ୍କା ଆଣି ଏଥିରେ ଲଗାଇଥିବା ସହିତ କିଛି ମହିଳା ମଧ୍ୟ ଅଧିକ ଲାଭ ଆଶାରେ ସୁଭଦ୍ରା ଟଙ୍କା ମଧ୍ୟ ଏଥିରେ ବିନିଯୋଗ କରିଥିଲେ । ଏବେ ହଠାତ ଆପ୍ ବନ୍ଦ ହୋଇଯିବା ପରେ ବିନୋଯୋଗକାରୀଙ୍କ ମୁଣ୍ଡରେ ଚଡକ ପଡିଯାଇଛି । ତେବେ ଇଓଡବ୍ଲୁକୁ ଏହାର ତଦନ୍ତ ଦାୟିତ୍ବ ହସ୍ତାନ୍ତର କରାଯିବା ପରେ ଠକେଇର ଶିକାର ହୋଇଥିବା ଲୋକଙ୍କ ମନରେ ଏକ ପ୍ରକାର ଆଶ୍ଵସ୍ତି ପ୍ରକାଶ ପାଇବା ସହ ଆଶା ସଂଚାର ହୋଇଛି ।

You Can Read:

ନନ୍ଦନକାନନରେ ଧଳା ବାଘୁଣୀ ମୌସୁମୀର ଅଢ଼େଇ ମାସର ଅଣ୍ଡିରା ଧଳା ଶାବକର ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.