ନୂଆଦିଲ୍ଲୀ ୨୪।୦୮; ଉତ୍ତରାଖଣ୍ଡରେ ମୌସୁମୀ ବିପର୍ଯ୍ୟୟ ଜାରି ରହିଛି । କିଛି ଦିନ ତଳେ ଉତ୍ତରକାଶୀର ଧରାଲିରେ ପ୍ରଳୟଙ୍କରୀ ବିପର୍ଯ୍ୟୟ ପରେ ଗତରାତିରେ ଚମୋଲି ଜିଲ୍ଲାର ଥରାଲି ଅଞ୍ଚଳରେ ବାଦଲ ଫଟା ବର୍ଷା ଓ ଆକସ୍ମିକ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। । ଏହି ଘଟଣା ଅଚାନକ ଥରାଲି ସହର ଓ ଆଖପାଖ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ବନ୍ୟାରେ ୮୦ଟି ଘର ମାଟିରେ ମିଶିଯାଇଛି ଏବଂ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ।
ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ କିଛି ଜଣ ନିଖୋଜ ଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟା ବେଳେ ହୋଇଥିବା ବାଦଲଫଟା ବର୍ଷାରେ ସାଗୱାଡ଼ା ଏବଂ ଚେପଡ଼ା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକଙ୍କ ଘର ନଷ୍ଟ ହୋଇଯାଇଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ ଥରାଲି ବଜାର ଅଞ୍ଚଳ ଏବଂ ଥରାଲି ତହସିଲ କମ୍ପ୍ଲେକ୍ସ ଆବର୍ଜନା ଭିତରେ ପୋତି ହୋଇଯାଇଛି । ଅନେକ ଜନବସତି ଅଞ୍ଚଳ ତଥା ଏସ୍ଡିଏମ୍ ଅଫିସ, ଦୋକାନ ଏବଂ ଗାଡ଼ି ମୋଟର ଆବର୍ଜନାରେ ପୋତି ହୋଇଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ଅନେକ ଜୀବନ ବଞ୍ଚିଯାଇଛି । ଚେପଡୋନ ବଜାର ଅଞ୍ଚଳରେ କିଛି ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଥରାଲି-ଗ୍ବଲଡାମ ରୋଡ୍ ଏବଂ ଥରାଲି-ସଗୱାରା ରୋଡ୍ ବନ୍ଦ ରହିଛି ।
ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛି। ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛି। ଅନେକ ସଂଯୋଗକାରୀ ରାସ୍ତା ନଷ୍ଟ ହୋଇଯାଇଛି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଘରୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଆଇଏମ୍ଡି ଆସନ୍ତା ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ‘ଅରେଞ୍ଜ ଆଲର୍ଟ’ ଜାରି କରିଛି ।