ଆନନ୍ଦପୁରରେ ଅନ୍ନଦାତାଙ୍କ ରଣହୁଙ୍କାର, ମଣ୍ଡି ନିର୍ମାଣ ଦାବିରେ ପୌର ଅଧିକାରୀଙ୍କୁ ଘେରିଲେ

Published By : Prameya-News7 Bureau | April 25, 2025 IST

ଆନନ୍ଦପୁର ୨୫/୪: ଖୋଲୁନି ମଣ୍ଡି । ରାସ୍ତାରେ ଚାଷୀ । ଆନନ୍ଦପୁରରେ ଅନ୍ନଦାତାଙ୍କ ରଣହୁଙ୍କାର । ମଣ୍ଡି ନିର୍ମାଣ ପାଇଁ ପ୍ରସ୍ତାବିତ ସ୍ଥାନରୁ ଜବର ଦଖଲ ଉଚ୍ଛେଦରେ ଟାଳଟୁଳ ନୀତି କରୁଛି ପ୍ରଶାସନ । ଯାହାକୁ ନେଇ ତାତିଛନ୍ତି ଚାଷୀ । ଚାଷୀଙ୍କ ଗାଁ ଭାବରେ ପରିଚିତ ଆନନ୍ଦପୁର ପୌରାଞ୍ଚଳ ପଦ୍ମପୁର ଠାରେ ମଣ୍ଡି ନିର୍ମାଣ ପାଇଁ ମଞ୍ଜୁରି ମିଳିଛି । ଗୋଦାମ ଘର ଓ ପାଚେରି ପାଇଁ ଟେଣ୍ଡର ମଧ୍ୟ ସରିଛି । ହେଲେ କାମ ଆଗକୁ ଯାଇପାରୁନି । କାରଣ ହେଲା ଜଣେ ପ୍ରଭାବଶାଳୀ ବ୍ୟକ୍ତି ସେହି ସ୍ଥାନକୁ ଜବରଦଖଲ କରି ରଖିନେଇଛି । ଏ ସଂପର୍କରେ ଚାଷୀମାନେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ସମସ୍ୟା ସମାଧାନ ପାଇଁ ଗୁହାରି କରିଛନ୍ତି । ହେଲେ ପଦକ୍ଷେପ ଶୂନ । 

ପ୍ରତିବାଦରେ ଶୁକ୍ରବାର ଶତାଧିକ ଚାଷୀ ଏକାଠି ହୋଇ ପୌରକାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ଅଧିକାରୀଙ୍କୁ ଘେରାଉ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୌର ଅଧିକାରୀ ବାହାରକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ ଓ ୭ ଦିନ ମଧ୍ୟରେ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାଙ୍କ କଥାରେ ଚାଷୀଙ୍କ ଭରସା ନଥିଲା । ପୌରଅଧିକାରୀଙ୍କୁ ସାଙ୍ଗରେ ନେଇ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ । ସେଠାରେ ମେ ମାସ ୫ ତାରିଖ ସୁଦ୍ଧା ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ହେବା ପରେ ଚାଷୀଙ୍କ ରାଗ ଶାନ୍ତ ହୋଇଥିଲା । ତେବେ ଆଜି ଆନ୍ଦୋଳନ ସମୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜଣେ ଚାଷୀ ବେହୋସ ହୋଇ ପଡିଥିଲେ । ତାଙ୍କୁ ପୋଲିସ ଗାଡିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସନ୍ତା ୫ ତାରିଖ ସୁଦ୍ଧା ଜବର ଦଖଲ ଉଚ୍ଛେଦ ନହେଲେ ପଦ୍ମପୁର ଛକରେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.