ପୁରୀ ୨୪/୪: ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର କଡା ନିର୍ଦ୍ଦେଶ । ଦିଘାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ଘାଟନ ଉତ୍ସବରେ କେହି ସେବକ ରହିବେନି । ନଚେତ ରୋଷ ଓ ନିଯୋଗରୁ କରାଯିବ ବାସନ୍ଦ । ସବୁଦିନ ପାଇଁ କରାଯିବ ନିଲମ୍ବିତ । ଶ୍ରୀମନ୍ଦିର ଚାରିଦ୍ଵାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ରୋଷ ଘର ସମ୍ମୁଖରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଲଗାଯାଇଛି ନିର୍ଦ୍ଦେଶନାମା। ସୁଆର ମହାସୁଆର ନିଯୋଗର ସଭ୍ୟ ଓ ରୋଷ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲଗାଯାଇଛି।
ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟା ଦିନ ପଶ୍ଚିମବଙ୍ଗର ଦୀଘାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେହି ଦିନ ସେଠାରେ ରୋଷ କାର୍ଯ୍ୟରେ ସୁଆର ମହାସୁଆର ନିଯୋଗର କୌଣସି ସଦସ୍ୟଙ୍କ ସହ ଯୋଗାଣିଆ, ତୁଣିଆ ଓ ପାଣିଆ ଯୋଗ ଦେଲେ ନିଯୋଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଚରମ ବାଣୀ ଶୁଣାଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର। ରୋଷ କାର୍ଯ୍ୟରେ ରନ୍ଧନ କିମ୍ବା ସାହାଯ୍ୟ କଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ବାସନ୍ଦ କରାଯିବ। କର୍ମଚାରୀ ମାନଙ୍କୁ ରୋଷ କାର୍ଯ୍ୟ ରୁ ସବୁଦିନ ପାଇଁ ନିଲମ୍ବିତ କରାଯିବ।ଏଭଳିକି ସେମାନଙ୍କ ପ୍ରାପ୍ୟ ବନ୍ଦ କରାଯିବା ସହ ରୋଷଘରକୁ ସଂପୂର୍ଣ୍ଣ ବାରଣ କରାଯିବ ବୋଲି କହିଛନ୍ତି ନିଯୋଗର ସମ୍ପାଦକ। ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗ ନିଆଯିବ।