ନୂଆଦିଲ୍ଲୀ: ପୁଲୱାମା ହମ୍ଲା ଏବଂ ଗୋରଖନାଥ ମନ୍ଦିର ଆତଙ୍କୀ ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି FATF ରିପୋର୍ଟ। ଇ-କମର୍ସ ଏବଂ ଅନଲାଇନ୍ ପେମେଣ୍ଟ ସେବା ବ୍ୟବହାର କରି ନିଜର ଶକ୍ତି ବିସ୍ତାର କରୁଛନ୍ତି ଆତଙ୍କବାଦୀ । ରିପୋର୍ଟରେ ରାଜ୍ୟ ପ୍ରାୟୋଜିତ ଆତଙ୍କବାଦ ବିଷୟରେ ମଧ୍ୟ ବ୍ୟାପକ ତଥ୍ୟ ଦିଆଯାଇଛି। ପୁଲୱାମା ଆକ୍ରମଣରେ ଆମାଜନରୁ କିଣାଯାଇଥିବା ଆଲୁମିନିୟମ୍ ପାଉଡରକୁ ବିସ୍ଫୋରକରେ ବ୍ୟବହାର କରିଥିଲେ ଆତଙ୍କୀ। ସେହିପରି ଗୋରଖନାଥ ଆକ୍ରମଣରେ ଅଭିଯୁକ୍ତମାନେ ବ୍ୟବହାର କରିଥିଲେ PayPal।
ଆତଙ୍କବାଦ ପାଣ୍ଠି ଯୋଗାଣ ଉପରେ ବିଶ୍ୱସ୍ତରରେ ନଜର ରଖୁଥିବା FATF ପ୍ରକାଶ କରିଛି। ପ୍ରତିନିଧିମଣ୍ଡଳୀମାନେ ରିପୋର୍ଟ କରିଛନ୍ତି ଯେ ରାଜ୍ୟ-ପ୍ରାୟୋଜିତ ଆତଙ୍କବାଦୀ ପାଣ୍ଠି ସଂଗ୍ରହ କୌଶଳ ଭାବରେ ବ୍ୟବହାର କରାଯାଉଛି। ଏଥିରେ ସିଧାସଳଖ ଆର୍ଥିକ ସହାୟତା, ଲଜିଷ୍ଟିକ୍ ଏବଂ ସାମଗ୍ରୀ ସହାୟତା କିମ୍ବା ତାଲିମ ପ୍ରଦାନ ଅନ୍ତର୍ଭୁକ୍ତ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି FATF କହିଛି ଯେ ଆର୍ଥିକ ସହାୟତା ବିନା ଏପରି ଆକ୍ରମଣ ସମ୍ଭବ ହୋଇପାରିନଥାନ୍ତା।
ଭାରତରେ ଆତଙ୍କବାଦୀମାନେ ସାମଗ୍ରୀ ସଂଗ୍ରହ ପାଇଁ ଇ-କମର୍ସ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି। ଆକ୍ରମଣରେ ବ୍ୟବହୃତ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣର ଏକ ପ୍ରମୁଖ ଉପାଦାନ ଆଲମନିୟମ ପାଉଡର (EPOM) ଆମାଜନ ମାଧ୍ୟମରେ କିଣାଯାଇଥିଲା ବୋଲି କହିଛି FATF । ବିସ୍ଫୋରଣର ପ୍ରଭାବକୁ ବୃଦ୍ଧି କରିବା ପାଇଁ ଏହି ସାମଗ୍ରୀ ବ୍ୟବହାର କରାଯାଇଥିଲା।
FATF ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀମାନେ ଇ-କମର୍ସ ପ୍ଲାଟଫର୍ମ ଏବଂ ଅନଲାଇନ୍ ବଜାରର ଅପବ୍ୟବହାର କରୁଛନ୍ତି। ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର, 3D-ପ୍ରିଣ୍ଟିଂ ସାମଗ୍ରୀ କିଣିବା ପାଇଁ ଏପରି ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଅନଲାଇନ୍ ପେମେଣ୍ଟ ସେବା ଏବଂ VPN ବ୍ୟବହାର ଉପରେ କେସ୍ ଷ୍ଟଡି ପ୍ରଦାନ କରି ଗୋରଖନାଥ ମନ୍ଦିରରେ ଅନୁପ୍ରବେଶ ଘଟଣାର ଉଦାହରଣ ଦେଇଛି FATF। ଏଥିରେ ଗିରଫ ଅଭିଯୁକ୍ତର ଆର୍ଥିକ ତଦନ୍ତରୁ ଜଣାପଡିଛି ଯେ PayPal ମାଧ୍ୟମରେ 6.69 ଲକ୍ଷ ଟଙ୍କା ବିଦେଶକୁ ଟ୍ରାନ୍ସଫର କରିଥିଲେ। ଏଥିରେ ଥାର୍ଡ ପାର୍ଟିର କାରବାର ବ୍ୟବହାର କରିଥିଲା। IP ଠିକଣା ଲୁଚାଇବା ପାଇଁ VPN ବ୍ୟବହାର କରିଥିଲା। ଏପରିକି ସେ ବିଦେଶରୁ 188 ଆମେରିକୀୟ ଡଲାର ପାଇଥିଲା।
ତଦନ୍ତରୁ ଜଣାପଡିଛି ଯେ ଆତଙ୍କୀ ଏହି ସେବାଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଏକ VPN ପ୍ରଦାନକାରୀଙ୍କୁ ପେମେଣ୍ଟ କରିଥିଲେ। ଅଭିଯୁକ୍ତଙ୍କ ଦ୍ୱାରା ପ୍ରାପ୍ତ PayPal କାରବାରର ଏକ ବ୍ୟାପକ ବିଶ୍ଳେଷଣରୁ ଜଣାପଡିଛି ଯେ ବିଦେଶୀ ଆକାଉଣ୍ଟକୁ ପ୍ରାୟ ୪୪ଟି ଟ୍ରାଞ୍ଜାକ୍ସନ ହୋଇଥିଲା।
ଅଭିଯୁକ୍ତମାନେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ବିଦେଶୀ ଗୋଷ୍ଠୀ ISILର ଅନୁଗାମୀ ଭାବରେ ଚିହ୍ନଟ ହୋଇଥିବା ଅନେକ ବ୍ୟକ୍ତିଙ୍କୁ ପାଣ୍ଠି ପଠାଇଥିଲେ। FATF କହିଛି ଯେ ଏହି କାରବାରର ସନ୍ଦେହଜନକ ଯୋଗୁଁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି PayPal। ଗତ ୧୦ ବର୍ଷ ମଧ୍ୟରେ ଫିନଟେକ୍ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଅନଲାଇନ୍ ପେମେଣ୍ଟ ସେବାର ଫାଇଦା ଉଠାଉଛନ୍ତି ଆତଙ୍କୀ ଗୋଷ୍ଠୀ।
ଫେବୃଆରୀ ୨୦୧୯ରେ ଜମ୍ମୁ ଏବଂ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀର ଏକ କାଫଲାକୁ ଟାର୍ଗେଟ କରିଯାଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସୈନିକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ଜୈଶ-ଏ-ମହମ୍ମଦ ଦ୍ୱାରା ଷଡଯନ୍ତ୍ର କରାଯାଇଥିଲା। ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାଲଟିଛି। ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯିବା ଉଚିତ FATF ନିକଟରେ ଦାବି କରିଆସୁଛି ଭାରତ।