ଭୁବନେଶ୍ବର ୦୯/୪: କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମ ବେଳେ ଗଣ୍ଡଗୋଳ ଘଟଣାରେ କମିଶନରେଟ୍ ପୋଲିସର ଆକ୍ସନ । ବୁଧବାର ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନାଙ୍କ ସମେତ ୫ହଜାରରୁ ଅଧିକ କର୍ମୀ ଓ ନେତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଦଙ୍ଗା ଭିଆଇବା ଓ ଆଇନକୁ ହାତକୁ ନେବା ଭଳି ୧୦ଟି ସଂଗୀନ ଦଫାରେ ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ । ତେବେ ଗଣ୍ଡଗୋଳ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାକୁ ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।
ଗତ ମାର୍ଚ୍ଚ ୨୭ ତାରିଖ । ରଣକ୍ଷେତ୍ର ପାଲଟିଥିଲା ରାଜଧାନୀର ଲୋୟର ପିଏମ୍ଜି । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା କଂଗ୍ରେସ । ବିଧାନସଭା ଘେରିବାକୁ ବିଶାଳ ପଦଯାତ୍ରା ପରେ ଲୋୟର ପିଏମ୍ଜିରେ ଦେଖାଦେଇଥିଲା ଉତ୍ତେଜନା । ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ଢେଲା, ପଥର ସହ ମାଡ ସହ ପ୍ଲାଷ୍ଟିକ ଚେୟାର ଅଣ୍ଡା ଫିଙ୍ଗିଥିଲେ କଂଗ୍ରେସ କର୍ମୀ । ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଥମେ ଟିୟର ଗ୍ୟାସ ପ୍ରୟୋଗ କରିଥିଲା । ହେଲେ ଧିରେ ଧିରେ ପରିସ୍ଥିତି ଅଣାୟତ୍ତ ହେବାକୁ ବାଧ୍ୟ ହୋଇ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।