ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବୁଧବାର ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ(ଆଇସିଟି) ଅଦାଲତଙ୍କ ଅବମାନନାର ଏକ ମାମଲାରେ ଶେଖ ହସିନାଙ୍କୁ ଛଅ ମାସର ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ-୧ର ଅଧ୍ୟକ୍ଷ ବିଚାରପତି ମହମ୍ମଦ ଗୁଲାମ ମୁର୍ତୁଜା ମୋଜୁମଦାରଙ୍କ ନେତୃତ୍ଵାଧୀନ ତିନି ଜଣିଆ ପୀଠ ଶୁଣାଇଛନ୍ତି।
ପ୍ରଥମ ଥର ଆବାମୀ ଲିଗ୍ର ନେତାଙ୍କ ବିରୋଧରେ ୧୧ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଦେଶରୁ ପଳାୟନ କରିବା ପରେ କୌଣସି ମାମଲାରେ ଦଣ୍ଡାଦେଶ ଶୁଣାଯାଇଛି। ଚଳିତ ବର୍ଷ ଜୁନ ମାସରେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ(ଆଇସିଟି)ର ଆଇନଜୀବୀ ଗତ ବର୍ଷ ବ୍ୟାପକ ମାତ୍ରାରେ ବିରୋଧ ପ୍ରଦର୍ଶନ ସମୟରେ ହସିନାଙ୍କ ଉପରେ ମାନବିକତା ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ। ଶେଖ ହସିନା ଆନ୍ଦୋଳନକୁ ଦୃଢ ହସ୍ତରେ ଦମନ କରିବା ପାଇଁ ମାନବିକତା ଉଲ୍ଲଂଘନ କରିଥିଲେ। ସେ ନିୟମକୁ ପାଦରେ ଦଳି ଚକଟି ଦେଇଥିଲେ। ପ୍ରଦର୍ଶନକାରୀଙ୍କ ଉପରେ ସୁନିୟୋଜିତ ଭାବେ ହମଲା କରାଯାଇଥିଲା।
Also read: ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ ଦିନିଆ ବିଦେଶ ଗସ୍ତ, ଗ୍ଲୋବାଲ୍ ସାଉଥ୍ ମିଶନକୁ ପ୍ରୋତ୍ସାହନ ଦେବେ
ମିଳିତ ଜାତିସଂଘ ଅଧିକାର କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ, ୨୦୨୪ ଜୁଲାଇ ୧୫ରୁ ଅଗଷ୍ଟ ୧୫ ତାରିଖ ମଧ୍ୟରେ ପ୍ରାୟ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। କାରଣ ଗତ ସରକାରର ପତନ ପରେ ହିଂସା ଜାରି ରହିଥିଲା। ହେଲେ ହସିନା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ହସିନାଙ୍କ ଓକିଲ ଆମିର ହୁସେନ କହିଛନ୍ତି, ଏହି ସବୁ ଅଭିଯୋଗରୁ ଶେଖ ହସିନାଙ୍କୁ ମୁକ୍ତ କରିବା ପାଇଁ ସବୁ ପ୍ରକାରର ପ୍ରୟାସ କରିବୁ। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ଶେଖ ହସିନାଙ୍କ ବିରୋଧରେ ବାଂଲାଦେଶରେ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହା ପରେ ସେ ନିଜ ପଦରୁ ଇସ୍ତଫା ଦେଇ ଭାରତ ପଳାୟନ କରିଥିଲେ। ସଂପ୍ରତି ଶେଖ ହସିନା ଦିଲ୍ଲୀରେ ଏକ ସୁରକ୍ଷିତ ବାସଭବନରେ ରହୁଛନ୍ତି।