ବେଦାନ୍ତ ସହ ଡିଲ୍‌ ବାତିଲକୁ ନେଇ ପ୍ରତିକ୍ରିୟା ରଖିଲା ଫକ୍ସକନ, କହିଲା- ଭାରତରେ ହିଁ କରିବୁ ସେମିକଣ୍ଡକ୍ଟର ନିର୍ମାଣ

Published By : Prameya-News7 Bureau | July 11, 2023 IST

ନୂଆଦିଲ୍ଲୀ, ୧୧/୦୭: ବେଦାନ୍ତ ଗ୍ରୁପ୍‌ ସହ ସେମିକଣ୍ଡକ୍ଟର ନିର୍ମାଣକୁ ନେଇ ହୋଇଥିବା ଡିଲ୍‌ ବାତିଲ କରିଛି ତାଇଓ୍ବାନ କମ୍ପାନି ଫକ୍ସକନ୍। ଏହି ଡିଲ୍ ବାତିଲ ପରେ ଦେଶରେ ସେମିକଣ୍ଟକ୍ଟର ଭବିଷ୍ୟତକୁ ବଡ଼ ଝଟକା ଲାଗିଛି। ଉଭୟ କମ୍ପାନି ମଧ୍ୟରେ ୧୯.୯ ମିଲିୟନ ଡଲାରର ନିବେଶ ପାଇଁ ସହଭାଗିତା ହୋଇଥିଲା। ସୂଚନାଥାଉକି, ଭାରତ ସରକାର ମଧ୍ୟ ‘ମେକ ଇନ୍ ଇଣ୍ଡିଆା’ ଅନୁଯାୟୀ ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହନ ଦେଉଛନ୍ତି।

ଏହି ଡିଲ୍‌ ବାତିଲ ହେବା ପରେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। ଆଉ ଏହାରି ମଧ୍ୟରେ ଆଇଫୋନ୍ ତିଆରି କରୁଥିବା ଫକ୍ସକନ ଏହି ପ୍ରସଙ୍ଗରେ ସଫେଇ ରଖିଛି । ତାଇଓ୍ବାନ କମ୍ପାନି ଡିଲ୍‌ ସହ ଜଡ଼ିତ ଅନେକ ପ୍ରଶ୍ନର ଜବାବ ଦେଇଛି। କମ୍ପାନି କହିଛି ‘‘ଆ​‌ମେ ଭାରତକୁ ନେଇ ପ୍ରତିବଦ୍ଧ ଆଉ ଦେଶକୁ ଏକ ବଡ଼ ସେମିକଣ୍ଡକ୍ଟର ଉତ୍ପାଦନର ହବ୍ ଭାବରେ ଦେଖିବାକୁ ଚାହୁଛୁ। ଅବଶ୍ୟ ଏଥିରେ କିଛି ସମୟ ଲାଗିବ। କିନ୍ତୁ ଭାରତରେ କମ୍ପାନି ଚିପ୍ ନିର୍ମାଣ କରିବ। ୨୦୦୬ରେ ଫକ୍ସକନ ପ୍ରଥମ ଥର ଭାରତ ଆସିଥିଲା ଆଉ ସେବେଠାରୁ ଏଠାରେ ବ୍ୟବସାୟ କରୁଛି। କମ୍ପାନି ଭାରତରେ ସେମିକଣ୍ଡକ୍ଟର ଉଦ୍ୟୋଗର ବିକାଶ ସହ ନିଜକୁ ମଧ୍ୟ ଆଗକୁ ବଢ଼ାଇବାକୁ ଚାହୁଛି।

କାହିଁକି ହେଲେ ଅଲଗା:

ଫକ୍ସକନ କହିଛି ‘‘ଉଭୟ କମ୍ପାନି ପରସ୍ପର ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କିଛି ଭୁଲ୍‌ ନାହିଁ। ଉଭୟ କମ୍ପାନିଙ୍କୁ ଲାଗୁଥିଲା ଯେ, ଏହି ପ୍ରୋଜେକ୍ଟ ଦ୍ରୁତ ଭାବରେ ଆଗକୁ ବଢ଼ୁନାହିଁ। ଏଥିରେ ଅନେକ ଚାଲେଞ୍ଜ ଆସିଥିଲା ଯାହାକୁ ପାର୍ କରିବା ସହଜ ନଥିଲା। ଏହା ବ୍ୟତୀତ ଡିଲ୍‌ ବାହାରେ ମଧ୍ୟ କିଛି ପ୍ରସଙ୍ଗ ରହିଥିଲା ଯାହାର ପ୍ରୋଜେକ୍ଟ ସହ କୌଣସି ସମ୍ପର୍କ ନଥିଲା। ନିଜର ଷ୍ଟେକହୋଲ୍ଡର୍ସ ଏବଂ ବ୍ୟବସାୟର ଧ୍ୟାନ ରଖିବା ସବୁଠୁ ଜରୁରୀ ତେଣୁ କମ୍ପାନି ଭୁଲ୍‌କୁ ଠିକ୍ କରିବା ପାଇଁ ଏହି ପଦକ୍ଷେପ ନେଇଛି।’’

ଆହୁରି ପଢ଼ନ୍ତୁ: ୨୦୨୪ ସୁଦ୍ଧା କର୍ଣ୍ଣାଟକରେ ଆଇଫୋନ୍‌ ତିଆରି ଆରମ୍ଭ କରିବ ଫକ୍ସକନ; ଜୁଲାଇ ସୁଦ୍ଧା ସରିବ ଜମି ହସ୍ତାନ୍ତର ପ୍ରକ୍ରିୟା

ଫକ୍ସକନ ଭାରତରେ ନିବେଶ କରିବା ଜାରି ରଖିବ। ଆମେ ୧୯୮୦ରୁ ଚାଲେଞ୍ଜର ସାମ୍ନା କରୁଛୁ। ଫକ୍ସକନ ଦୃଢ଼ତାର ସହ ସରକାରଙ୍କ‌ ସହ ‘ମେକ ଇନ ଇଣ୍ଡିଆ’ ମିଶନକୁ ସହଯୋଗ କରିବ। ଷ୍ଟେକହୋଲ୍ଡର୍ସଙ୍କ  ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ସ୍ଥାନୀୟ ସହଯୋଗୀଙ୍କ ସହ ମଧ୍ୟ ସହଭାଗିତା କରିବ। ​‌ତେବେ ଏହି ଡିଲ୍‌ ବାତିଲ ଫଳରେ କମ୍ପାନିକୁ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି।

ଏହା ବ୍ୟତୀତ କମ୍ପାନି ସମ୍ଭାବିତ ପାର୍ଟନରଙ୍କ ଖୋଜ୍ କରୁଛି। ଯେଉଁମାନେ ଭାରତକୁ ଆଗକୁ ବଢ଼ିବାର ଦେଖିବାକୁ ଚାହୁଛନ୍ତି। ସେ ଘରୋଇ କମ୍ପାନି ହୁଅନ୍ତୁ କିମ୍ବା ବିଦେଶୀ। ଫକ୍ସକନର ବିଶ୍ବସ୍ତରୀୟ ଯୋଗାଣ ଚେନ ଏବଂ ଉତ୍ପାଦନ କ୍ଷମତାର ମଧ୍ୟ ଫାଇଦା ମିଳିବ। ସେପଟେ ଏହି ଡିଲ୍ ବାତିଲ ପରେ ଉଭୟ କମ୍ପାନୀ ନୂଆ ସହଯୋଗୀଙ୍କ ଦ୍ବାରା ସେମିକଣ୍ଡକ୍ଟର ଉତ୍ପାଦନ କରିବା ନେଇ ଯୋଜନା କରୁଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.