କୋରାପୁଟ ପାଡୁଅ ପୋଲିସକୁ ସଫଳତା, ନିମ୍ବ ଚାରା ଟ୍ରକରୁ ୧୦ କୋଟିର ଗଞ୍ଜେଇ ଜବତ

Published By : Prameya-News7 Bureau | April 12, 2025 IST

କୋରାପୁଟ ୧୨/୦୪: ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଅପରାଧୀ । ପ୍ରତିଦିନ ଭିନ୍ନ ଭିନ୍ନ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବାର ଖବର ସାମ୍ନାକୁ ଆସୁଛି । କେତେବେଳେ ଦାମୀ କାର୍‌ରେ ତ ଆଉ କେତେବେଳେ ଆଳୁ ଟ୍ରକ ସହ ଯାଉଛି ଗଞ୍ଜେଇ । ଏବେ ଧରାପଡିଛି ମାଫିଆଙ୍କ ଗଞ୍ଜେଇ ଚାଲାଣର ଆଉ ଏକ ଟ୍ରିକ । ନିମ୍ବ ଚାରା ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ୧୦ କୋଟିର ଗଞ୍ଜେଇ ଜବତ କରିଛି କୋରାପୁଟ ପାଡୁଅ ପୋଲିସ । ଜଣେ ମାଫିଆ ଧରାପଡିଥିବାବେଳେ ଆଉ ଜଣେ ଚକ୍‌ମା ଦେଇ ଫେରାର ହୋଇଯାଇଛି । 

ଏକ ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ବରେ ପାଡୁଆ ନିକଟରେ ନାକାବାନ୍ଦୀ କରିଥିଲା ପାଡୁଅ ପୋଲିସ । ଏହି ସମୟରେ ବିପରୀତ ଦିଗରୁ ଏକ ରାଜସ୍ଥାନ ରେଜିଷ୍ଟ୍ରେସନ ନମ୍ବରର ଆଇଚ ଗାଡି ଆସିଥିଲା । ତେବେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଗାଡି ଡାଲା ଭିତରେ ନିମ ଚାରା ସହ ବିପୁଳ ପରିମାଣର ଗଞ୍ଜେଇ ସଜା ହୋଇ ରଖାଯାଇଥିଲା । ଜବତ ଗଞ୍ଜେଇ ପ୍ରାୟ ୧ଟନ୍‌ ହେବ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ହେବ । 

ଏହି ଗଞ୍ଜେଇ ସ୍ଥାନୀୟ ବୁଡି ଗ୍ରାମରୁ ରାଜସ୍ଥାନକୁ ଚାଲାଣ ହେଉଥିଲା । ପୋଲିସ ଗାଡି ଡ୍ରାଇଭରକୁ ଅଟକ ରଖିଥିବାବେଳେ ଅନ୍ୟ ଜଣେ ପୋଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି । ପୋଲିସ ଏକ NDPS ମାମଲା ରୁଜୁ କରିଛି । ଗଞ୍ଜେଇ ଚାଲାଣରେ କିଏ କିଏ ସଂପୃକ୍ତ ଅଛନ୍ତି ? ଏହାର ନେଟୱର୍କ କେତେବାଟ ଯାଏ ଲମ୍ବିଛି ? ସେସବୁର ଛାନ୍‌ଭିନ୍‌ ଚଳାଇଛି ପୋଡୁଅ ପୋଲିସ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.