ଆସ୍କା ୫।୭: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରିରୁ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ l ଅପହୃତ ହୋଇଥିବା ଓଡ଼ିଶା ଶ୍ରମିକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ସମରଝୋଳ ଅଞ୍ଚଳର ପନାଡ ଭେଙ୍କଟ ରମଣ l ତାଙ୍କ ପରିବାର ପକ୍ଷରୁ ଏନେଇ ହିଞ୍ଜିଳି ଥାନାରେ ଶୁକ୍ରବାର ରାତିରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ଭେଙ୍କଟ ରମଣ ଏକ କନସଲଟାଣ୍ଟ କମ୍ପାନୀ ଦ୍ଵାରା ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ଏକ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ । ଗତ ୩୦ ତାରିଖ ଦିନ ପରିବାର ଲୋକେ ତାଙ୍କ ପୁଅ ସହ ଶେଷଥର କଥା ହୋଇଥିଲେ l ତା ପରେ ପରିବାର ଲୋକଙ୍କର ତାଙ୍କ ସହ ଆଉ ଯୋଗାଯୋଗ ହୋଇନଥିଲା l ଜୁଲାଇ ୩ ତାରିଖରେ କମ୍ପାନୀ ପକ୍ଷରୁ ପରିବାକୁ ଲୋକଙ୍କୁ କୁହାଯାଇଥିଲା ପୋଲିସ ତାଙ୍କ ପୁଅକୁ ଅଟକ ରଖିଛି ।
ପରେ ପରିବାର ଲୋକ ଜାତୀୟ ଗଣମଧ୍ୟମରୁ ଖବର ପାଇଥିଲେ କିଛି ଆତଙ୍କବାଦୀ ସଂଗଠନ ଡ଼ାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରିବା ସହ ୩ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି l ସେଥିରେ ତାଙ୍କ ପୁଅ ଭେଙ୍କଟ ରମଣ ମଧ୍ୟ ରହିଥିବା ସେମାନେ ଜାଣିବାକୁ ପାଇଥିଲେ l ଏହାପରେ ପରିବାର ଲୋକ ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ l ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳଙ୍କୁ ଯୋଗାଯୋଗ ମଧ୍ୟ କରିଥିଲେ l ଏମିତିକି ଘଟଣା ବିଷୟରେ ଜାଣିବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅପହରଣ ନେଇ କୌଣସି ସୂଚନା ମିଳିପାରିନାହିଁ । ଫଳରେ ଭୟରେ ପରିବାର ଲୋକ ଚିନ୍ତାଗ୍ରସ୍ତ ରହିଛନ୍ତି l ପୁଅକୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି l
You Can Read:
ଜଳସ୍ତର ବିପଦ ସଂକେତର ଯଥେଷ୍ଟ ତଳେ ଅଛି, ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ