ନୂଆଦିଲ୍ଲୀ,୦୯/୦୯: ସୋମବାର ଜିଏସ୍ଟି ପରିଷଦ ବୈଠକ । ଏହି ମିଟିଂରେ ବୀମା ପ୍ରିମିୟମରେ ଟିକସ, ଟିକସ ହ୍ରାସ ନେଇ ମନ୍ତ୍ରୀ ଗୋଷ୍ଠୀ ପ୍ରଦାନ କରିଥିବା ପରାମର୍ଶ ଏବଂ ଅନ୍ଲାଇନ ଗେମିଂ ଷ୍ଟାଟସ ରିପୋର୍ଟ ଉପରେ ବିଚାର ବିମର୍ଷ ହେବାର ସମ୍ଭାବନା ରହିଛି ।
କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ଫିଟ୍ମେଣ୍ଟ କମିଟି ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା ଏବଂ ପୁନଃ ବୀମା ଦେୟ ପ୍ରଦାନ ଏବଂ ଏହାର ରାଜସ୍ୱ ଉପରେ ପ୍ରଭାବ ଭଳି ଦିଗ ଗୁଡିକ ସମ୍ପର୍କରେ ରିପୋର୍ଟ ଜିଏସ୍ଟି ପରିଷଦକୁ ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ ବୀମା ପ୍ରିମିୟମରେ ଏବେ ୧୮ ପ୍ରତିଶତ ଜିଏସ୍ଟି ଲାଗୁଥିବା ବେଳେ ଏହାର ହ୍ରାସ ହେଲେ ଲୋକମାନେ ଲାଭବାନ ହେବେ ବୋଲି କୁହାଯାଉଛି । ଏମିତିକି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଜିଏସ୍ଟି କମାଇବା ଲାଗି ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଥିଲେ । ବିରୋଧୀ ରାଜନୈତିକ ଦଳ ମାନେ ମଧ୍ୟ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ରାଜ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗଦେବେ । ଜିଏସ୍ଟି ପରିଷଦ ସ୍ୱାସ୍ଥ୍ୟ ବୀମାରେ ଜିଏସ୍ ଟି ହ୍ରାସ ହେବ କି ନାହିଁ ତାର ସମ୍ଭାବ୍ୟ ଦିଗ ଗୁଡିକ ଉପରେ ବିଚାର କରିବ । ବରିଷ୍ଠ ନାଗରିକଙ୍କ ଭଳି କେଉଁ ବର୍ଗରେ ରିହାତି ମିଳିପାରିବ ସେ ଦିଗରେ ବିଚାର ବିମର୍ଷ ହେବ । ସେହିଭଳି ଜୀବନ ବୀମା ପ୍ରିମିୟମରେ ଜିଏସ୍ଟି କମାଇବା ପ୍ରସଙ୍ଗ ବୈଠକରେ ପ୍ରମୁଖ ଏଜେଣ୍ଡାରେ ରହିଛି । ୨୦୨୩- ୨୪ରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବୀମା ପ୍ରିମିୟମରେ ଜିଏସ୍ଟି ଲାଗୁ କରିବା ଯୋଗୁ ୮୨୬୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିଲେ ।
ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁନଃ ବୀମା ବାବଦକୁ ୧୪୮୪ କୋଟି ଟଙ୍କା ରାଜକୋଷକୁ ଆସିଛି । ଅର୍ଥମନ୍ତ୍ରୀ ନିକଟରେ କହିଥିଲେ, ସଂସଦରେ ହୋହାଲ୍ଲା କରିବା ପରିବର୍ତ୍ତେ ରାଜ୍ୟ ଗୁଡିକ ସେମାନଙ୍କ ଅର୍ଥ ମନ୍ତ୍ରୀଙ୍କୁ କହି ଏହି ପ୍ରସଙ୍ଗକୁ ଜିଏସ୍ଟି ପରିଷଦ ବୈଠକରେ ଉଠାଇବା ଆବଶ୍ୟକ । ଜିଏସ୍ଟିର ୭୫% ଅର୍ଥ ରାଜ୍ୟଗୁଡିକୁ ଯାଉଛି । ମନ୍ତ୍ରୀ ଗୋଷ୍ଠୀ ପରିଷଦ ବୈଠକରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଟିକସ ହ୍ରାସ ପ୍ରସଙ୍ଗ ଉଠାଇଥିଲେ । ଏହି ପ୍ରସଙ୍ଗକୁ ତର୍ଜମା ଲାଗି ଫିଟମେଣ୍ଟ କମିଟିକୁ ପଠାଯାଇଛି ।
ବର୍ତ୍ତମାନ ୫, ୧୨, ୧୮ ଏବଂ ୨୮ ସ୍ଲାବ ମଧ୍ୟରୁ କାହାକୁ କାଟିବା ସପକ୍ଷରେ ମନ୍ତ୍ରୀ ଗୋଷ୍ଠୀ ନାହିଁ । ତେବେ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଲାଗୁ ହେଉଥିବା ଟିକସ ହାର ହ୍ରାସ କରିବାକୁ ଫିଟମେଣ୍ଟ କମିଟିକୁ କୁହାଯାଇଛି । ସେହିଭଳି ଅନଲାଇନ ଗେମିଂ ଉପରେ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ଅଧିକାରୀ ମାନେ ଜିଏସ୍ଟି ପରିଷଦକୁ ରିପୋର୍ଟ ପ୍ରଦାନ କରିବେ । ୨୦୨୩ ଅକ୍ଟୋବର ୧ ପରଠୁ ଏବଂ ପୂର୍ବରୁ ଏଥିରୁ କେତେ ପରିମାଣରେ ଟିକସ ଆଦାୟ ହୋଇଛି ତାହା ଦେଖିବ ଜିଏସ୍ଟି ପରିଷଦ ।
ଅକ୍ଟୋବର ପହିଲାରୁ ଏଣ୍ଟ୍ରି ସ୍ତରୀୟ ବେଟ୍ ବା ବାଜି ଗୁଡିକ ଉପରେ ୨୮% ଜିଏସ୍ଟି ଲାଗୁ ହୋଇଛି । ଏହା ପୂର୍ବରୁ କମ୍ପାନିଗୁଡିକ ୨୮% ଜିଏସ୍ଟି ଦେଉ ନ ଥିଲେ । ୨୦୨୩ ଅଗଷ୍ଟରେ ହୋଇଥିବା ଜିଏସ୍ଟି ପରିଷଦ ବୈଠକରେ ଏହାକୁ ନେଇ ସ୍ପଷ୍ଟ କଲେ ସରକାର । ଜିଏସ୍ଟି ଆଇନରେ ସଂଶୋଧନ ସରକାର ଟିକସ ଦେବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ରହିଲା ।