ଭୁବନେଶ୍ବର ୧୬।୧: ସତ ମାନିଲେ ହଂସିତା । ସରୋଜ ସାହୁଙ୍କୁ ନିଜ ସ୍ବାମୀ ବୋଲି ମାନିଲେ । ଆଉ ସ୍ବାମୀଙ୍କ ଦେହ ଖରାପ ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଛନ୍ତି ହଂସିତା ଓରଫ୍ ବିଷ୍ଣୁପ୍ରିୟା ଚାନ୍ଦ୍ । ସ୍ବାମୀଙ୍କ ଦେହ ଖରାପ ଓ ତାଙ୍କର ଦେଖା ଶୁଣା କରିବେ ବୋଲି ନିଜ ଆବେଦନରେ କୋର୍ଟଙ୍କୁ ଜଣାଇଛନ୍ତି ହଂସିତା । ତେବେ ତାଙ୍କର ଏହି ଆବେଦନ ଉପରେ ଅବଜେକ୍ସନ ଫାଇଲ୍ କରିଛନ୍ତି ସରକାରୀ ଓକିଲ । ସେପଟେ ହଂସିତା ଓ ଅନୀଲଙ୍କ ବିରୋଧରେ ଆଜି ବି କେଶ୍ ଡାଏରୀ ଦାଖଲ କରିନଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଯାହା ଦ୍ବାରା ସେମାନଙ୍କ ଜାମିନ ଆବେଦନ ଶୁଣାଣିକୁ ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । ହଂସିତାଙ୍କ ବିରୋଧରେ ଏକାଧିକ ପୁରୁଣା ଅପରାଧିକ ମାମଲା ରହିଥିବା ଜାଣିପାରିଛି କମିଶନରେଟ୍ ପୋଲିସ । ସେନେଇ ଅଧିକ ଅନୁଧ୍ୟାନ କରୁଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ ।
ଅନ୍ୟପଟେ ହଂସିତା ଓ ଅନୀଲଙ୍କୁ ଜେଲରେ ଜେରା କରିବା ପାଇଁ କୋର୍ଟରେ ଆବେଦନ କରିଛି ଆୟକର ବିଭାଗ । ହାଇପ୍ରୋଫାଇଲ୍ ଠକେଇର ଏହି ଦୁଇ ଠକ ଯୋଡ଼ି ଏତେ ପରିମାଣର ସମ୍ପତ୍ତି କେମିତି କଲେ ? କ’ଣ ଥିଲା ସେମାନଙ୍କ ଆୟର ମାଧ୍ୟମ ? ଆଉ କେଉଁମାନେ ଏହି ହଂସିତା-ଅନୀଲ ଯୋଡ଼ିଙ୍କ ଠକେଇର ଶିକାର ହୋଇଛନ୍ତି ? ସେସବୁର ଖୋଳତାଡ଼ ଚଳାଇଛି ଆୟକର ବିଭାଗ । ପୂର୍ବରୁ ମାତ୍ର ଗୋଟିଏ ଦିନ ପାଇଁ ଦୁହିଁଙ୍କୁ ରିମାଣ୍ଡରେ ନେଇ ପଚରାଉରା କରିଛି IT ଟିମ୍ ।
You Can Read:
ସହଦେବ ନାୟକ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଭଙ୍ଗାଯିବ ଘର, BMCକୁ ଚିଠି ଲେଖିଲା କମିଶନରେଟ୍ ପୋଲିସ