ହରିୟାଣା ବିଧାନସଭା ନିର୍ବାଚନ ତାରିଖରେ ହେବନି ପରିବର୍ତ୍ତନ ! ଅକ୍ଟୋବର ୧ରେ ହିଁ ହେବ ମତଦାନ

Published By : Prameya-News7 Bureau | August 29, 2024 IST

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ । ସୂତ୍ରକୁ ନେଇ ଲାଇଭ୍ ହିନ୍ଦୁସ୍ତାନର ଏକ ରିପୋର୍ଟରେ ଏହା କୁହାଯାଇଛି । ଏବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅକ୍ଟୋବର ୧ରେ ହିଁ ମତଦାନ ହେବ ଏବଂ ଅକ୍ଟୋବର ୪ରେ ଭୋଟ ଗଣତି ହେବ । ତେବେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହା ଉପରେ କିଛି କୁହାଯାଇ ନାହିଁ । ଏହାରି ଭିତରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ ଅଧିକାରୀମାନଙ୍କୁ ପୂର୍ବ ନିର୍ଦ୍ଧାରିତ ନିର୍ବାଚନୀ କାର୍ଯ୍ୟକ୍ରମ ଅନୁସାରେ ପ୍ରସ୍ତୁତି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ ଏବଂ ରାଜ୍ୟରେ କ୍ଷମତାରେ ଥିବା ବିଜେପି ନିର୍ବାଚନ ତାରିଖ ପରିବର୍ତ୍ତନ କରିବା ପାଇଁ ଇସିଆଇଙ୍କୁ ଚିଠି ଲେଖିଥିଲେ । ଉଭୟ ଦଳ ଛୁଟି କାରଣ ଦର୍ଶାଇ ମତଦାନ ତାରିଖ ଆଗକୁ ଘୁଞ୍ଚାଇବା ପାଇଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ । ଆଇଏନ୍‌ଏଲ୍‌ ମୁଖ୍ୟ ମହାସଚିବ ଅଭୟ ସିଂହ ଚୌଟାଲା ଗତ ଶନିବାର ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅକ୍ଟୋବର ୧ରେ ହେବାକୁ ଥିବା ନିର୍ବାଚନ ତାରିଖକୁ ଆଗକୁ ବଢାଇବା ପାଇଁ ଦାବି କରିଥିଲେ । ଚିଠିରେ ଲେଖିଥିଲେ ଯେ ସେପ୍ଟେମ୍ୱର ୨୮ ଶନିବାର ଏବଂ ୨୯ ରବିବାର । ଅକ୍ଟୋବର ୧ରେ ମତଦାନ ପାଇଁ ଛୁଟି ଏବଂ ଏହାପର ଦୁଇ ଦିନ ମଧ୍ୟ ସରକାରୀ ଛୁଟି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୩ ମହାରାଜା ଅଗ୍ରସେନ ଜୟନ୍ତୀ  ।

ଏଥିରେ ସେ କହିଥିଲେ ଲମ୍ୱା ଛୁଟି ଯୋଗୁଁ ମତଦାନ ଉପରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ । ଭୋଟିଂ ପ୍ରତିଶତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ଏବଂ ମତଦାନ ପ୍ରତିଶତ ୧୫ରୁ ୨୦ ପ୍ରତିଶତ ଯାଏ କମ ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ନିର୍ବାଚନ ପାଇଁ କର୍ମଚାରୀଙ୍କ ପ୍ରଶିକ୍ଷଣ ସହ ନିର୍ବାଚନ ପ୍ରସ୍ତୁତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ । କଂଗ୍ରେସ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରି କହିଥିଲା ଯେ ହରିୟାଣାରେ ନିର୍ବାଚନ ତାରିଖ ପରିବର୍ତ୍ତନ ପାଇଁ ଉଦ୍ୟମ କରିବା ସେମାନଙ୍କ ଲୋକମତ କମ ହେଉଥିବା ସ୍ପଷ୍ଟ କରୁଛି । କଂଗ୍ରେସ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ମତଦାନ ତାରିଖ ପରିବର୍ତ୍ତନ ନକରିବା ପାଇଁ ଅନୁରୋଧ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.