ଭୁବନେଶ୍ବର ୧୮।୬: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପବନ ବହୁଛି । ଏହା ପ୍ରଭାବରେ ବର୍ଷା ଲାଗି ରହିଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଦିନ ତମାମ ବର୍ଷା ଲାଗି ରହିବ । ପଶ୍ଚିମ ଦିଗରୁ ପବନ ଆସୁଥିବା ବେଳେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ । ଖାସ୍ କରି ଢେ଼ଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆରବ ସାଗରରୁ ମଧ୍ୟ ଜଳୀୟ ବାଷ୍ପ ରହୁଛି । ଏହା ପ୍ରଭାବରେ ମଝିରେ ମଝିରେ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଶେଷଜ୍ଞ ତଥା ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ।
ଆଗେଇଲା ମୌସୁମୀ, ଆଜି ଓ କାଲି ରାଜ୍ୟରେ ବଡ଼ ବର୍ଷା ନେଇ ଆଲର୍ଟ
ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତା ଦୁଇ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବହୁ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା ୧୮ ତାରିଖ ରାଜ୍ୟର ଅଧିକାଂଶ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ଓ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏହାବାଦ୍ ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବରଗଡ଼, ସୋନପୁର, ବୌଦ୍ଧରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
୧୯ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବରଗଡ଼, ସୋନପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୦ରେ ବର୍ଷା ପରିମାଣ କିଛି ମାତ୍ରାରେ କମିବ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ ସୁନ୍ଦରଗଡ଼ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୨୧ରୁ ୨୩ ଯାଏଁ କାଁ ଭାଁ ବର୍ଷା ହେବ । ବଡ଼ ବର୍ଷା ରହିବନି । ମୌସୁମୀ ଓଡ଼ିଶାର ବାକି ଥିବା ଅଞ୍ଚଳରେ ପ୍ରବେଶ କରିଥିବା ବେଳେ ରାଜ୍ୟରେ ପାଗ ବଦଳିଛି । ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ବଜ୍ରପାତ ଆଶଙ୍କା ଅଧିକ ରହିଛି । ତେଣୁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
You Can Read:
ଆଗେଇଲା ମୌସୁମୀ, ଆଜି ଓ କାଲି ରାଜ୍ୟରେ ବଡ଼ ବର୍ଷା ନେଇ ଆଲର୍ଟ