ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦିବଙ୍ଗତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ନେଇ ଏକ ଟିପ୍ପଣୀ କରିଥିଲେ । ରାହୁଲ ଅଭିଯୋଗ କରିଥିଲେ ଯେ କୃଷି ଆଇନକୁ ନେଇ ଅରୁଣ ଜେଟଲୀ ତାଙ୍କୁ ଧମକାଇଥିଲେ । ଏବେ ଏହା ଉପରେ ରାହୁଲ ଗାନ୍ଧୀଙ୍କୁ ଆଇନା ଦେଖାଇଛନ୍ତି ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ । ରାହୁଲ ଗାନ୍ଧୀଙ୍କ ଭୁଲ ଧରି ତାଙ୍କୁ ସ୍ମରଣ କରାଇଛନ୍ତି ଯେ ତାଙ୍କ ବାପାଙ୍କ ମୃତ୍ୟୁ ଏହି ଆଇନ ଲାଗୁ ହେବା ପୂର୍ବରୁ ହୋଇଥିଲା ।
ଏକ୍ସ ପୋଷ୍ଟରେ ରୋହନ ଜେଟଲୀ ଲେଖିଛନ୍ତି, 'ରାହୁଲ ଗାନ୍ଧୀ ଏବେ ଦାବି କରୁଛନ୍ତି ଯେ ମୋର ଦିବଗନ୍ତ ବାପା ଅରୁଣ ଜେଟଲୀ ତାଙ୍କୁ କୃଷି ଆଇନକୁ ନେଇ ଧମକାଇଥିଲେ । ମୁଁ ତାଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ ୨୦୧୯ରେ ମୋର ବାପାଙ୍କ ନିଧନ ହୋଇଥିଲା । କୃଷି ଆଇନ ୨୦୨୦ରେ ଲାଗୁ ହୋଇଥିଲା । ଏହାଠୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମୋର ବାପାଙ୍କ ସ୍ୱଭାବରେ ବିରୋଧୀ ବିଚାରକୁ ଧମକାଇବା ନଥିଲା । ସେ ଜଣେ କଟ୍ଟର ଗଣତାନ୍ତ୍ରିକ ବ୍ୟକ୍ତି ଥିଲେ ଓ ସବୁବେଳେ ସମସ୍ତଙ୍କ ସହମତିରେ କାମ କରିବା ଉପରେ ବିଶ୍ୱାସ ରଖୁଥିଲେ ।'
Rahul Gandhi now claims my late father, Arun Jaitley, threatened him over the farm laws.
— Rohan Jaitley (@rohanjaitley) August 2, 2025
Let me remind him, my father passed away in 2019. The farm laws were introduced in 2020. More importantly, it was not in my father's nature to threaten anyone over an opposing view. He was a…
ସେ ଲେଖିଛନ୍ତି, 'ଯଦି ଏପରି କୌଣସି ସ୍ଥିତି ଆସେ, ଯାହା ରାଜନୀତିରେ ସବୁବେଳେ ଘଟିଥାଏ, ସେତେବେଳେ ସେ ସମାଧାନ ପାଇଁ ସ୍ୱାଧୀନ ଓ ଖୋଲା ଆଲୋଚନା ପାଇଁ ଆହ୍ୱାନ କରୁଥିଲେ । ସେ ଏପରି ହିଁ ଥିଲେ ଓ ଆଜି ବି ଏହା ତାଙ୍କର ପୁଞ୍ଜି ଅଟେ । ମୁଁ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ ଯେ ଆମ ଗହଣରେ ଯେଉଁମାନେ ନାହାନ୍ତି ସେମାନଙ୍କ ବିଷୟରେ କହିବା ପୂର୍ବରୁ ସଚେତନ ରହିବା ଦରକାର । ସେ ପୂର୍ବରୁ ମନୋହର ପାରିକରଙ୍କୁ ନେଇ ମଧ୍ୟ ଏପରି କରିବାକୁ ଉଦ୍ୟମ କରିଥିଲେ । ତାଙ୍କର ଅନ୍ତିମ ଦିନର ରାଜନୀତିକରଣ କରିଥିଲେ ।'
ଉଲ୍ଲେଖଯୋଗ୍ୟ ଯେ ବାର୍ଷିକ ଆଇନ ସମ୍ମିଳନୀ-୨୦୨୫ରେ ରାହୁଲ କହିଥିଲେ, 'ମୋର ମନେ ଅଛି, ଯେତେବେଳେ କୃଷି ଆଇନ ବିରୋଧରେ ଲଢୁଥିଲି, ସେତେବେଳେ ମୋତେ ଧମକାଇବା ପାଇଁ ଅରୁଣ ଜେଟଲୀଙ୍କୁ ପଠାଯାଇଥିଲା । ସେ ମୋତେ କହିଥିଲେ, ଯଦି ମୁଁ ସରକାରଙ୍କ ବିରୋଧ କରେ, କୃଷି ଆଇନ ବିରୋଧଲେ ଲଢେଇ ଜାରି ରଖେ, ତେବେ ମୋ ବିରୋଧରେ ଆକ୍ସନ ନିଆଯିବ ।'