ବେଆଇନ ଅନୁପ୍ରବେଶ କରି ବାଂଲାଦେଶୀ ଅଭିନେତ୍ରୀ ଗିରଫ, ପୋଲିସ୍‌ ଜବତ କଲା ଅବୈଧ ଡକ୍ୟୁମେଣ୍ଟ

Published By : Prameya-News7 Bureau | August 02, 2025 IST

ମୁମ୍ଵାଇ ୦୨।୦୮; କୋଲକାତାରୁ ଜଣେ ବାଂଲାଦେଶୀ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ଭାରତରେ ଅବୈଧ ଭାବେ ରହିବା ଅଭିଯୋଗରେ ତାଙ୍କୁ ବନ୍ଧା ଯାଇଛି । ଅଭିନେତ୍ରୀ ବାଂଲାଦେଶର ବାରିସାଲ ନିବାସୀ ଶାନ୍ତା ପଲ ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ଦୁଇଟି ଆଧାର କାର୍ଡ, ଗୋଟିଏ ଭୋଟର ଆଇଡି କାର୍ଡ ଏବଂ ଗୋଟିଏ ରାସନ କାର୍ଡ ଜବତ କରାଯାଇଛି।

ରିପୋର୍ଟ ଅନୁଯାୟୀ, କୋଲକାତା ପୋଲିସ ଶାନ୍ତା ପଲଙ୍କୁ ଯାଦବପୁର ଅଞ୍ଚଳରୁ ଗିରଫ କରିଛି। ସେ ସେଠାରେ ଏକ ଭଡ଼ା ଘରେ ରହୁଥିଲେ। ଯାଞ୍ଚ ସମୟରେ ପୋଲିସ ଅନେକ ଭାରତୀୟ ଏବଂ ବାଂଲାଦେଶୀ ଦଲିଲ ଜବତ କରିଛି, ଯେଉଁଥିରେ ବାଂଲାଦେଶୀ ପାସପୋର୍ଟ, ବାଂଲାଦେଶୀ ସେକେଣ୍ଡାରୀ ଏଜୁକେସନର ଆଡମିଟ୍ କାର୍ଡ ରହିଛି । ଭାରତୀୟ ଦଲିଲ ଗୁଡ଼ିକ ମଧ୍ୟରେ ଦୁଇଟି ଆଧାର କାର୍ଡ, ଭାରତୀୟ ଭୋଟର ଆଇଡି କାର୍ଡ ଏବଂ ରାସନ କାର୍ଡ ରହିଛି। ଆଧାର କାର୍ଡ ଦୁଇଟି ଭିନ୍ନ ଠିକଣାରେ ପଞ୍ଜୀକୃତ, ଗୋଟିଏ କୋଲକାତାରେ ଓ ଅନ୍ୟଟି ବର୍ଦ୍ଧମାନରେ। କୋଲକାତା ପୋଲିସ୍‌ କହିଛନ୍ତି, ଗୋଟିଏ ଅଭିଯୋଗ ଆଧାରରେ ଆମେ ଏହି ମାମଲା ରୁଜୁ କରିଥିଲୁ ଏବଂ ତଦନ୍ତ ସମୟରେ ଆମେ ଜଣେ ବାଂଲାଦେଶୀ ମହିଳାଙ୍କୁ ଗିରଫ କରିଛୁ। ସେ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ମାମଲାର ତଦନ୍ତ ଜାରି ରହିଛି।

ପୋଲିସର ସୂଚନା ଅନୁସାରେ ଶାନ୍ତା ପଲ ୨୦୨୪ ଶେଷରେ ଜଣେ ପୁରୁଷଙ୍କ ସହ ଏହି ଘର ଭଡ଼ାରେ ନେଇଥିଲେ। ପଚରାଉଚରା ସମୟରେ ସେ ପୋଲିସକୁ କୌଣସି ଉତ୍ତର ଦେଇ ପାରିନଥିଲେ, ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। କୋଲକାତା ପୋଲିସ ବର୍ତ୍ତମାନ UIDAI ସହ ଯୋଗାଯୋଗ କରୁଛି । ଜଣେ ବାଂଲାଦେଶୀ ନାଗରିକଙ୍କୁ ଆଧାର କାର୍ଡ କିପରି ମଞ୍ଜୁର ହେଲା ସେନେଇ ତଥ୍ୟ ମିଳିପାରିବ । ଏହା ସହିତ ନିର୍ବାଚନ କମିଶନ ଏବଂ ପଶ୍ଚିମବଙ୍ଗର ଖାଦ୍ୟ ବିଭାଗ ସହ ମଧ୍ୟ ପୋଲିସ ଯୋଗାଯୋଗ କରୁଛି । ଅଭିଯୁକ୍ତ ବାଂଲାଦେଶରେ ଜଣେ ଅଭିନେତ୍ରୀ ଭାବେ କାମ କରୁଥିଲେ। ସେ ବାଂଲାଦେଶର ଅନେକ ଟିଭି ଚ୍ୟାନେଲ ଏବଂ ଶୋ’ରେ ଉପସ୍ଥାପିକା ଭାବେ ମଧ୍ୟ କାମ କରିଥିଲେ ଏବଂ ସେଠାରେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.