କଟକ ୨୨।୪: ରାଜ୍ୟରେ ୪୨୪ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । କିନ୍ତୁ ସଂଖ୍ୟା ଏତିକି ନା ଆହୁରି ଅଧିକ ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି । ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ଥାଇବି, ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାର ଅଭିଯୋଗ କରି ସଞ୍ଜୟ କୁମାର ମହାରଣା ୨୦୧୮ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ ସରକାରୀ ଭାବେ ହୋଇଥିବା ତଦନ୍ତ ଅନୁସାରେ ୪ ଶହ ୨୪ ଜଣ ନକଲି ଶିକ୍ଷକ ଥିବା ଗତ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ୬ଟି ଜିଲ୍ଲାରେ ସ୍ଥିତି ଉଦବେଗଜନକ ରହିଛି ବୋଲି କୁହାଯାଇଛି ଏବଂ ବରଗଡ଼, କେନ୍ଦୁଝର ଓ କେନ୍ଦ୍ରାପଡା ଜିଲ୍ଲାରେ ତଦନ୍ତ ଚାଲିଛି ଯାହା ଏବେବି ଶେଷ ହୋଇନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଯାହାକୁ ନେଇ ମୁଖ୍ୟବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି। ୨୦୧୮ ମସିହାରୁ ନକଲି ଶିକ୍ଷକ ଧରପଗଡ଼ କାର୍ଯ୍ୟ ଚାଲିଥିଲେ ବି ଏଯାଏଁ କାହିଁକି ସରିନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଆସନ୍ତା ୬ ତାରିଖ ସୁଦ୍ଧା ତଦନ୍ତର ଅଗ୍ରଗତି ଏବଂ ଧରାପଡ଼ିଥିବା ନକଲି ଶିକ୍ଷକ ମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି, ସତ୍ୟପାଠ ଜରିଆରେ ଜଣାଇବା ଲାଗି ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦେଶ ହୋଇଛି।
You Can Read:
ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି, ବୁଧବାରଠୁ ୨୫ ତାରିଖ ଯାଏଁ ରହିବ ବନ୍ଦ