ବାରବାଟୀ ଟିକେଟ୍‌ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼, ଦଳାଚକଟା ସ୍ଥିତି : ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ୍‌

Published By : Prameya-News7 Bureau | February 05, 2025 IST

କଟକ ୫।୨: ବାରବାଟୀରେ କ୍ରିକେଟ୍ କ୍ରେଜ୍ । ଟିକେଟ୍ କିଣିବାକୁ କାଉଣ୍ଟର ବାହାରେ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲୋକଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଗହଳିରେ ଅସୁସ୍ଥ ହେଲେ କ୍ରିକେଟ୍‌ପ୍ରେମୀ । 

ବାରବାଟୀ ଦିନିକିଆ ପାଇଁ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିଲାଣି ଟିକେଟ୍ । ସେଥିପାଇଁ କମିଶନରେଟ୍ ପୋଲିସ ଓ ଓସିଏ  ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର କାଉଣ୍ଟର ହୋଇଥିବା ବେଳେ ମୋଟ୍ ଚାରୋଟି କାଉଣ୍ଟରରେ ମିଳୁଛି ଟିକେଟ୍ । ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ୧୦ ହାଜର ୮୦ ଟିକେଟ୍ । ସକାଳ ୯ଟାରୁ ଖୋଲିଛି  ଟିକେଟ୍ କାଉଣ୍ଟର । ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଲୋକ ସରକାରୀ ପ୍ରମାଣ ପତ୍ର ଦେଖାଇ ଦୁଇଟି ଟିକେଟ୍ ନେଇପାରିବେ ।

ସେପଟେ ଟିକେଟ କାଉଣ୍ଟରରେ ଚରମ ବିଶୃଙ୍ଖଳା ନେଇ ଅଭିଯୋଗ ଆସିଛି । ୧୫ରୁ ୧୭ଘଣ୍ଟା ଧରି ଧାଡିରେ ଠିଆ ହେବା ପରେ ମଧ୍ୟ ଲୋକଙ୍କୁ ଟିକେଟ୍ ମିଳିନି । ଭିଡ଼ ନିୟନ୍ତ୍ରଣ ଏବଂ ଟିକେଟ୍ କାଉଣ୍ଟର ଆଗରେ ଶୃଙ୍ଖଳା ରକ୍ଷା କରିବାରେ ପୋଲିସ ଏକବାର ବିଫଳ କହିଲେ ଠିକ୍ ହେବ । ପରିସ୍ଥିତି ଏପରି ହୋଇଛି ଯେ ପୋଲିସକୁ ମଧ୍ୟ ଭିଡର ଶିକାର ହେବାକୁ ପଡିଛି । ଏକାଧିକ ଲୋକ ବେହୋସ ହୋଇଛନ୍ତି, ପିଇବାକୁ ପାଣି ନାହିଁ, ପୁଣି ପୋଲିସ ନିଜେ ଟିକେଟ୍ କଳାବଜାରୀ କରୁଥିବା ମଧ୍ୟ ସଙ୍ଗୀନ ଅଭିଯୋଗ ଆସିଛି ।

ବାରବାଟୀ ମ୍ୟାଚ୍ ପାଇଁ କଟକ ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଷ୍ଟାଡିୟମ୍ ବୁଲି ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ମ୍ୟାଚ୍ ଦିନ ଦର୍ଶକ ମାନେ କିଭଳି ଆସି ଶୃଙ୍ଖଳିତ ଭାବେ ମ୍ୟାଚ୍ ଦେଖି ଫେରି ପାରିବେ ସେ ନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।


You Can Read:

ତିଗିରିଆ ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ ସହ ପୋଚ ନଷ୍ଟ, ଫେରାର ହୋଇଗଲେ ମାଫିଆ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.