୨୦୨୯ରେ ୱାନ ନେସନ ୱାନ ଇଲେକ୍ସନ ହେଲେ ସମୟ ପୂର୍ବରୁ ଭଙ୍ଗ ହେବ ଏହି ସବୁ ରାଜ୍ୟଙ୍କ ବିଧାନସଭା

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯।୯: ମୋଦି ସରକାର ୱାନ ନେସନ ୱାନ ଇଲେକ୍ସନ (ଓଏନଓଇ)ରେ ଆଗକୁ ବଢୁଛନ୍ତି। କୋବିନ୍ଦ କମିଟିର ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ନିକଟରେ କହିଥିଲେ ଯେ ୱାନ ନେସନ ୱାନ ଇଲେକ୍ସନ ଏହି ସରକାରଙ୍କ କାର୍ଯ୍ୟକାଳରେ ହିଁ ଲାଗୁ କରାଯିବ। ଶାହ ଏହା ବି କହିଥିଲେ ଯେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଗତ ଲୋକସଭା ନିର୍ବାଚନରେ ବିଜେପି ମେନିଫିଷ୍ଟୋରେ ଥିଲା। ଏଥିପାଇଁ ଗତ ବର୍ଷ ମୋଦି ସରକାର କୋବିନ୍ଦ କମିଟି ଗଠନ କରିଥିଲେ। 

କମିଟି ନିକଟରେ ତାଙ୍କ ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ପ୍ରଥମ ପଦକ୍ଷେପ ରୂପେ ପ୍ୟାନେଲ ଲୋକସଭା ଓ ବିଧାନସଭା ନିମନ୍ତେ ଏକ ସଙ୍ଗରେ ନିର୍ବାଚନ କରିବାକୁ ସୁପାରିଶ କରିଛନ୍ତି, ଏହା ସହିତ ୧୦୦ ଦିନ ମଧ୍ୟରେ ଏକ ସଙ୍ଗରେ ପାଳିକା ଓ ନଗରନିଗମ ନିର୍ବାଚନ କରିବାକୁ ମଧ୍ୟ କହିଛନ୍ତି। କୋବିନ୍ଦ କମିଟି ସୁପାରିଶକୁ ସରକାର ଗ୍ରହଣ କରିବା ପରେ ଏ ସମ୍ପର୍କିତ ବିଧେୟକକୁ ଲୋକସଭାରେ ଉପସ୍ଥାପନ କରିବେ ଓ ଏହା ପରେ ପରବର୍ତ୍ତି ପ୍ରକ୍ରିୟା ହେବ। 

ଯଦି ୨୦୨୯ରେ ୱାନ ନେସନ ୱାନ ଇଲେକ୍ସନ ହେଲା
ୱାନ ନେସନ ୱାନ ଇଲେକ୍ସନକୁ ୨୦୨୯ରେ ଲାଗୁ କରିବାକୁ ହେଲେ ସରକାରଙ୍କୁ ଏବେ ଠାରୁ ପ୍ରକ୍ରିୟା ଆରମ୍ଭ କରିବାକୁ ପଡିବ। ଲୋକସଭା ଓ ବିଧାନସଭା ଅବଧିରେ ସମ୍ବିଧାନିକ ବ୍ୟବସ୍ଥାରେ ସଂସଦ ଦ୍ୱାରା ସଂଶୋଧନ କରାଯିବା ପରେ ଏକ ସଙ୍ଗରେ ନିର୍ବାଚନ ଲାଗି ଅନେକ ବିଧାନସଭାକୁ ସେମାନଙ୍କ ୫ ବର୍ଷର କାର୍ଯ୍ୟକାଳ ସମାପ୍ତିର ଅନେକ ପୂର୍ବରୁ  ୨୦୨୯ରେ ଭଙ୍ଗ କରାଯିବ। ଏକ ସଙ୍ଗରେ ନିର୍ବାଚନ କରାଇବା ପାଇଁ କୋବିନ୍ଦ କମିଟି ସମୟ ସୀମା ନିର୍ଦ୍ଧାରଣ କରି ନାହାନ୍ତି। 

କମିଟି ୧୮ତମ ସମ୍ବିଧାନ ସଂଶୋଧନ ଲାଗି ସୁପାରିଶ କରିଛନ୍ତି ଯେଉଁଥି ଲାଗି ଅଧିକାଂଶ ରାଜ୍ୟ ବିଧାନସଭାଙ୍କୁ ଅନୁମୋଦନର ଆବଶ୍ୟକତା ପଡିବ ନାହିଁ। ହେଲେ ଓଏନଓଇ ୨୦୨୯ରେ ଲାଗୁ କରିବାକୁ ହେଲେ କେତେକ ରାଜ୍ୟର ବିଧାନସଭାକୁ ସମୟ ପୂର୍ବରୁ ଭଙ୍ଗ କରିବାକୁ ହେବ, ଏଥିରେ ଉତ୍ତରପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ସମୟ ପୂର୍ବରୁ ଭଙ୍ଗ ହେବ। 

୨୦୨୩ରେ ଏହି ସବୁ ରାଜ୍ୟରେ ହୋଇଛି ନିର୍ବାଚନ
ଗତବର୍ଷ ଦେଶର ୧୦ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ସବୁ ରାଜ୍ୟମାନଙ୍କରେ ପରବର୍ତ୍ତି ନିର୍ବାଚନ ୨୦୨୮ରେ ହେବ। ଏଣୁ ସେଠାରେ ବର୍ଷକ ପାଇଁ ବା ତା ଠୁ କମ ସମୟ ପାଇଁ ସରକାର ଗଠନ ହେବ। ଏହି ସବୁ ରାଜ୍ୟମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ, ମେଘାଳୟ, ନାଗାଲ୍ୟାଣ୍ଡ, ତ୍ରିପୁରା, କର୍ଣ୍ଣାଟକ, ତେଲେଙ୍ଗାନା, ମିଜୋରାମ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ରହିଛି। ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟରେ ୨୦୨୨ରେ ବିଧାନସଭା ନିର୍ବାଚନ ହୋଇଥିଲା।  ଏହି ସବୁ ରାଜ୍ୟମାନଙ୍କରେ ପରବର୍ତ୍ତି ବିଧାନସଭା ନିର୍ବାଚନ ୨୦୨୭ରେ ହେବା ନିଶ୍ଚିତ। 

ଏଥିରେ ଯଦି ୨୦୨୯ରେ ୱାନ ନେସନ ୱାନ ଇଲେକ୍ସନ ଲାଗୁ ହୁଏ ତେବେ ସମୟ ପୂର୍ବରୁ ବିଧାନସଭା ଭଙ୍ଗ ହେବ। ଫଳରେ ୩ ବର୍ଷ ପୂର୍ବରୁ ୟୁପିର ବିଧାନସଭା ଭଙ୍ଗ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗ, ତାମିଲନାଡୁ,ଆସାମ ଓ କେରଳରେ ମଧ୍ୟ ବିଧାନସଭା ଭଙ୍ଗ କରିବାକୁ ପଡିବ। 

ଏବେକା ପରିସ୍ଥିତି
ଏବେକା ସ୍ଥିତିରେ ଓଡିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟମାନଙ୍କରେ ଲୋକସଭା ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ଏହା ଛଡା ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମ, ଛତିଶଗଡ ଓ ହରିୟାଣା ଭଳି ରାଜ୍ୟରେ ଲୋକସଭା ନିର୍ବାଚନର ୫-୬ ମାସ ପୂର୍ବରୁ ନଚେତ ପରେ ବିଧାନସଭା ନିର୍ବାଚନ ହୋଇଥାଏ। ଏଣୁ ଏହି ରାଜ୍ୟମାନଙ୍କର ନିର୍ବାଚନ ଲୋକସଭା ନିର୍ବାଚନ ସହ କରାଇଲେ କୌଣସି ଅସୁବିଧା ନାହିଁ। ଏଥିରେ ବାକି ରାଜ୍ୟମାନଙ୍କରେ କ୍ଷମତାସୀନ ଦଳଙ୍କ ସହ ଆଲୋଚନା କରି ସେମାନଙ୍କୁ ଏକ ସଙ୍ଗରେ ନିର୍ବାଚନ ନିମନ୍ତେ ପ୍ରସ୍ତୁତ କରାଯାଇ ପାରେ। ଏଣୁ ବିଜେପି ସରକାରଙ୍କ ଲାଗି ଏହା ମଧ୍ୟ ସକରାତ୍ମକ କାରଣ ଅନେକ ରାଜ୍ୟରେ ବିଜେପି ଓ ଏନଡିଏ ସରକାର ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.